ନୂଆଦିଲ୍ଲୀ ୨୫/୧୨: ସାଉଥ୍ ଫିଲ୍ମ ଅଭିନେତା ଅନୀଲ ନେଦୁମଙ୍ଗଦଙ୍କ ସଲୀଳ ସମାଧି। ‘ଆୟାପାନ୍ନୁମ କୋସ୍ୟମ୍’ ଅଭିନେତା ଅନୀଲଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ୪୮ ବର୍ଷୀୟ ନେଦୁମଙ୍ଗଦ କେରଳର ମଲଂକରା ଡ୍ୟାମ୍ରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଡ୍ୟାମ ଗଭୀର ହୋଇଥିବାରୁ ବାହାରକୁ ଆସିବାକୁ ଚେଷ୍ଟା କରି ସେ ବିଫଳ ହୋଇଥିବା ସୂଚନା ମିଳିଛି। ଶେଷରେ ଡ୍ୟାମ ଭିତରେ ଶେଷ ନିସ୍ବାଶ ତ୍ୟାଗ କରିଥିଲେ ଅନୀଲ।
ମିଳିଥିବା ସୂଚନା ଅନୁସାରେ ଅନୀଲ ଓ କ୍ରୁ ଫିଲ୍ମ ‘ପିସ୍’ର ସୁଟିଂ ପାଇଁ ଖୋଡୁପୁଝା ଯାଇଥିଲେ। ସୁଟିଂର ଇଣ୍ଟରଭାଲ୍ ସମୟରେ ନେଦୁମଙ୍ଗଦ ଓ ତାଙ୍କର କିଛି ସହଯୋଗୀ ଡ୍ୟାମ୍କୁ ଗାଧୋଇବା ପାଇଁ ଯାଇଥିଲେ। ସମସ୍ତେ ଗାଧୋଉଥିବା ବେଳେ କେହି କହିଥିଲେ ନେଦୁମଙ୍ଗଦ ଗଭୀର ଜଳ ଭିତରକୁ ଚାଲିଯିବାରୁ ବୁଡ଼ି ଯାଇଛନ୍ତି ।
ଏହି ଖବର ଶୁଣିବା ପରେ ତାଙ୍କ ସହଯୋଗୀମାନେ ଖୋଜାଖୋଜି କରି ଅନୀଲଙ୍କୁ ବାହାରକୁ ଆଣିବା ସହ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନେଦୁମଙ୍ଗଦଙ୍କ ମୃତ୍ୟୁ ଖବର ଜଣେ ଫିଲ୍ମ ପ୍ରଯୋଜକ ପୃଥ୍ବୀରାଜ ସୁକୁମାରନ ନିଜ ଫେସ୍ବୁକ୍ ପୋଷ୍ଟରେ ଦେଇଛନ୍ତି। ‘ଥାସକାରଭିରାନ୍’ରୁ ଡେବ୍ୟୁ କରିଥିବା ନେଦୁମଙ୍ଗଦ ୨୦୧୪ରେ ‘ନିଜାନ ଷ୍ଟିଭ୍ ଲୋପେଜ୍’ରୁ ପରିଚୟ ପାଇଥିଲେ।