ପାଣାଜି ୦୮।୦୩: ଗୋଆ ବିଧାନସଭା ନିର୍ବାଚନକୁ ନେଇ ଆସିଛି ଏକଜୁଟ୍ ପୋଲ୍। ୨୦୧୭ ପରି ଏଥର ମଧ୍ୟ କାହାରିକୁ ସ୍ପଷ୍ଟ ବହୁମତ ମିଳୁନଥିବା ଅଧିକାଂଶ ଏକଜିଟ୍ ପୋଲରୁ ଜଣା ପଡିଛି। ଝୁଲା ସରକାର ସ୍ଥିତି ଦେଖି କଂଗ୍ରେସ ନିଜ ବିଧାୟକ ପ୍ରାର୍ଥୀଙ୍କୁ ନେଇ ସତର୍କ ହୋଇ ଉଠିଛି। ଏକଜିଟ୍ ପୋଲର ଗୋଟିଏ ଦିନ ପରେ ମଙ୍ଗଳବାର ଗୋଆ କଂଗ୍ରେସ ନିଜର ବିଧାୟକ ପ୍ରାର୍ଥୀଙ୍କୁ ଅନ୍ୟ ଦଳର ସଂସ୍ପର୍ଶରୁ ବଞ୍ଚାଇବା ପାଇଁ ଏକ ରିସର୍ଟରେ ରଖିବାକୁ ଯୋଜନା କରୁଛି। ପାର୍ଟିର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି।
ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଗୋଆର ଅନ୍ୟ ବରିଷ୍ଠ ନେତା ମୁମ୍ବାଇରେ ନିଜ ରାଜ୍ୟର ନିର୍ବାଚନୀ ପ୍ରଭାରୀ ଦେବେନ୍ଦ୍ର ଫଡଣବିସଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭା ପାଇଁ ଫେବୃଆରୀ ୧୪ରେ ନିର୍ବାଚନ ହୋଇଥିଲା। ଭୋଟ୍ ଗଣତି ମାର୍ଚ୍ଚ ୧୦ରେ ହେବାକୁ ଯାଉଛି।
କଂଗ୍ରେସ ଗତ ଥର ନିଜ ବିଧାୟକଙ୍କୁ ବଞ୍ଚାଇ ପାରିନଥିଲା। ପାଞ୍ଚ ବର୍ଷରେ ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇ ୨ରେ ପହଞ୍ଚିଥିଲା। କଂଗ୍ରେସର ଅନେକ ବିଧାୟକ ବିଜେପିରେ ସାମିଲ୍ ହୋଇଥିଲେ। ଏହି କାରଣରୁ ଏଥର କଂଗ୍ରେସ ୨୦୧୭ର ଭୁଲ୍ ଦୋହରାଇବାକୁ ଚାହୁଁନାହିଁ। ନିଜ ବିଧାୟକଙ୍କୁ ଘୋଡା ବେପାରରୁ ବଞ୍ଚାଇବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।
ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି, କଂଗ୍ରେସର ସମସ୍ତ ପ୍ରାର୍ଥୀ ବୁଧବାର ଉତ୍ତର ଗୋଆରେ ଏକ ରିସର୍ଟରେ ରହିବେ। ଏଠାରୁ ଗୁରୁବାର ମତଗଣନା କେନ୍ଦ୍ରକୁ ଯିବେ। ଭୋଟ୍ ଗଣତି ମାଣ୍ଡଓ୍ଵା ଏବଂ ପାଣାଜୀ ସହରରେ ହେବ। କଂଗ୍ରେସ ପାର୍ଟି ନିଜର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଫଳାଫଲ ଆସିବା ପରେ କାର୍ଯ୍ୟାଳୟ ପହଞ୍ଚିବାକୁ କୁହାଯାଇଛି।
ଗୋଆରେ କିଏ ଗଢିବ ସରକାର କହିବା ମୁସ୍କିଲ। କାରଣ ଶାସକ ବିଜେପି ଏବଂ ବିରୋଧୀ ମଧ୍ୟରେ ଜୋରଦାର ଟକ୍କର ହେଉଥିବା ଇଣ୍ଡିଆ ଟୁଡେ-ଏକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ୧୫ ରୁ ୨୦ ଆସନ ଜିତିପାରେ। ବିଜେପି ଖାତାକୁ ୧୪ ରୁ ୧୮ ସିଟ୍ ଏବଂ ଏମଜେପି ୨ ରୁ ୫ ସିଟରେ ବିଜୟୀ ହୋଇପାରେ ବୋଲି ଏକଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଛି। ଏହିପରି ଏଠାରେ ଝୁଲା ସରକାର ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୦୧୭ରେ ମଧ୍ୟ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା। ବିଜେପି ଆଞ୍ଚଳିକ ଦଳଗୁଡିକ ସମର୍ଥନ ପାଇ ସରକାର ଗଢିଥିଲା। ଏଥର ମଧ୍ୟ ସେମିତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।