କରୋନାରେ କଂଗ୍ରେସ ବିଧାୟିକାଙ୍କ ମୃତ୍ୟୁ, ଦୀର୍ଘ ଦିନ ହେଲା ହସ୍ପିଟାଲ୍‌ରେ ଥିଲେ

Published By : Prameya-News7 Bureau | April 24, 2021 IST

ଇନ୍ଦୋର ୨୪/୪:  ସାନ, ବଡ଼ କିମ୍ବା ଧନୀ-ଗରିବ କାହାକୁ ଛାଡ଼ୁନି କରୋନା। ଥରେ ଧରିନେଲେ ମୃତ୍ୟୂ ପର୍ଯ୍ୟନ୍ତ ଘୋଷାରି ନେଉଛି। ଏବେ ଦେଶର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ସମସ୍ତେ ତ୍ରାହି ତ୍ରାହି କରୁଛନ୍ତି। ନେତା-ମନ୍ତ୍ରୀ ବି କରୋନାରେ ଆକ୍ରାନ୍ତ ହେଉଛନ୍ତି। କେହି କେହି କରୋନାରେ ପ୍ରାଣ ମଧ୍ୟ ହରାଉଛନ୍ତି। ଉତ୍ତରପ୍ରଦେଶରେ ୨୪ ଘଣ୍ଟାରେ ଦୁଇ ବିଜେପି ବିଧାୟକଙ୍କ ଜୀବନ କରୋନା ନେଇଥିବା ବେଳେ ଜଣେ କଂଗ୍ରେସ ବିଧାୟିକା କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। କରୋନାରେ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟିକା କଳାବତୀ ଭୁରିଆଙ୍କ ମୃତ୍ୟୁ ହୋଇଛି।

ଶନିବାର ସେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।  ମୃତ୍ୟୂ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। କରୋନା ପୀଡ଼ିତ ଥିବା ଜଣାପଡ଼ିବା ପରେ ବିଧାୟିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। କଳାବତୀ ଭୁରିଆ ଅଲିରାଜପୁର ଜିଲ୍ଲାର ଜୋବଟ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ବିଧାୟିକା କଳାବତୀଙ୍କ ପରଲୋକରେ ସମସ୍ତ ରାଜନୈତିକ ଦଳ ଶୋକ ପ୍ରକାଶ କରିଛନ୍ତି। ବହୁ ବରିଷ୍ଠ ନେତା ମନ୍ତ୍ରୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

ମଧ୍ୟପ୍ରଦେଶରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ କରୋନାକୁ କାବୁ କରିବାକୁ ସରକାର ନାକେଦମ ହୋଇଛନ୍ତି। କଳାବତୀଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେଲା ସେ ହସ୍ପିଟାଲରେ ଥିଲେ। ସେଠାକାର ଡାକ୍ତରଙ୍କ ଅନୁସାରେ କଳାବତୀଙ୍କ ଫୁସ୍‌ଫୁସ୍‌ ୭୦ ପ୍ରତିଶତ ସଂକ୍ରମିତ ହୋଇସାରିଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖିବା ପରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା। ଶେଷରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି। କଳାବତୀ ଭୁରିଆ ୨୦୧୮ରେ  ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲା । ଏହା ପୂର୍ବରୁ ସେ ୧୯୯୦ରେ ସରପଞ୍ଚ ଏବଂ ୨୦୦୦-୨୦୧୮ ପର୍ଯ୍ୟନ୍ତ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷା ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.