ପଞ୍ଜାବ ପରାଜୟ ପାଇଁ ଦାୟୀ ରହିବେ ନବଜୋତ ସିଂହ ସିଦ୍ଧୁ ! ଦଳରେ ଉଠିଲାଣି ବିରୋଧର ସ୍ଵର

Published By : Prameya-News7 Bureau | March 08, 2022 IST

ନୂଆଦିଲ୍ଲୀ ୦୮।୦୩: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ। ମାତ୍ର କଂଗ୍ରେସ ଫଳାଫଳ ପରର ସ୍ଥିତିକୁ ନେଇ ଏବେଠୁ ମାନସ ମନ୍ଥନ ଆରମ୍ଭ କରି ଦେଇଛି। କାରଣ ପ୍ରାୟ ସମସ୍ତ ଏକଜିଟ୍ ପୋଲ୍‌ରେ କଂଗ୍ରେସ କ୍ଷମତାରୁ ବେଦଖଲ ହେଉଥିବା ଏବଂ ଆପ୍‌ର ସରକାର  ହେବାକୁ ଯାଉଥିବା ପୂର୍ବାନୁମାନ କରାଯାଇଛି। ଏକଜିଟ୍‌ ପୋଲର ଫଳାଫଳ ଦେଖି କଂଗ୍ରେସର ଚିନ୍ତା ବଢି ଯାଇଛି। ସୋମବାର ଚଣ୍ଡିଗଡ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ନିରବତା ଛାଇ ରହିଥିଲା। ଏପରିକି ମନୀଷ ତିଓ୍ଵାରୀଙ୍କ ପରି ନେତା ପ୍ରଥମରୁ ହିଁ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ପରାଜୟର ଦୋଷ ଲଦି ସାରିଛନ୍ତି। କେନ୍ଦ୍ରୀୟ ନେତୃତ୍ଵ ଫଳାଫଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା  କରିବାକୁ କହିଥିବା ବେଳେ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଲାଣି।

ସୋମବାର ଗୋଟିଏ ପଟେ ଏକଜିଟ୍ ପୋଲ୍ ସମୟରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିବା ବେଳେ ଅନ୍ୟପଟେ ସିଦ୍ଧୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନରେ ବ୍ୟସ୍ତ ଥିଲେ। କୁହାଯାଉଛି ଖୋଦ୍ ନବଜୋତ ସିଂହ ସିଦ୍ଧୁ ନିଜ ଆସନରେ ଫସିଛନ୍ତି। ଏହା ବ୍ୟତୀତ ଅନେକ ନେତା ତାଙ୍କର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ସିଦ୍ଧୁଙ୍କ ଉପରେ ପରାଜୟର ଦୋଷ ଲଦା ଯାଇପାରେ।

ସୂତ୍ର ମୁତାବକ ଗତ ଦିନରେ ପଞ୍ଜାବକୁ ନେଇ ଶୀର୍ଷ ନେତୃତ୍ଵଙ୍କ ଏକ ବୈଠକ ହୋଇଥିଲା। ଏଥିରେ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଯଦି କଂଗ୍ରେସ ପଞ୍ଜାବରେ ହାରେ ତେବେ ମଧ୍ୟ ଚନ୍ନିଙ୍କୁ ପ୍ରମୁଖ ଚେହେରା ଭାବେ ଦଳ ବଜାୟ ରଖିବ। ଏହାର କାରଣ ସେ ଦଳିତ ନେତା ହୋଇଥିବାରୁ ପାର୍ଟି ତାଙ୍କ ଜରିଆରେ ୟୁପି, ରାଜସ୍ଥାନ, ବିହାର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ପରି ରାଜ୍ୟରେ ଫାଇଦା ନେବାକୁ ଚାହୁଁଛି। ବିଜେପି ମଧ୍ୟ ଏହି ସବୁ ରାଜ୍ୟରେ ଦଳିତ ଭୋଟ୍ ବ୍ୟାଙ୍କ ହାତେଇବାକୁ ଉଦ୍ୟମ ଚଳାଇଛି। ଏଥିରୁ ସ୍ପଷ୍ଟ ଯେ ପଞ୍ଜାବରେ ପରାଜୟ ପରେ ମଧ୍ୟ ଚନ୍ନି ନିଜ ସ୍ଥାନ ବଜାୟ ରଖିବେ।

ଅନ୍ୟପଟେ ସିଦ୍ଧୁଙ୍କ ପାଇଁ ପାର୍ଟି କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ବେଦଖଲ କରି ଦେଇଥିଲା। ତା ପରେ ଚନ୍ନିଙ୍କ ସହ ସିଦ୍ଧୁ ବିବାଦ ଆରମ୍ଭ କରିଥିଲେ। ତାହା ଦଳର ଚିନ୍ତାକୁ ବଢାଇ ଦେଇଥିଲା। ସିଦ୍ଧୁଙ୍କୁ ନେଇ କୁହାଯାଏ ଯେ, ସେ ଦଳରେ କୌଣସି ଗୋଷ୍ଠୀର ନୁହନ୍ତି। ସେପଟେ ଚନ୍ନିଙ୍କଠୁ ନେଇ ମନୀଷ ତିଓ୍ଵାରୀଙ୍କ ପରି ନେତା ସିଦ୍ଧୁଙ୍କୁ ଘୋର ବିରୋଧ କରି ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.