ଆଗ୍ରା,୨୫ /୦୩: ପ୍ରେମ ନେଲା ଜୀବନ । ଭଲ ପାଇବା ପଜିଲା ମହଙ୍ଗା । ପସନ୍ଦ କଲେନି ଝିଅର ପରିବାର ଲୋକେ । ଯୁବକଙ୍କୁ ମାରି କୂଅକୁ ଫିଙ୍ଗିଦେଲେ । ଏପରି ଏକ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ।

ସୂଚନାନୁସାରେ, ଉତ୍ତର ପ୍ରଦେଶର ଆଗ୍ରାରେ ରୁହନ୍ତି ଚନ୍ଦ୍ରବୀର ସିଂ । ବୟସ ୧୬। ଏକାଦଶ ଶ୍ରେଣୀରେ ପାଠ ପଢନ୍ତି । ତେବେ ଚନ୍ଦ୍ରବୀର ନିଜର ସହପାଠୀ ଅଭିଷେକ ସିଂଙ୍କ ଭଉଣୀଙ୍କ ପ୍ରେମରେ ପଡିଯାଇଥିଲେ । ହେଲେ ଅଭିଷେକ କିମ୍ବା ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରିପାରିନଥିଲେ । ତେଣୁ ସେମାନେ ମିଶି ଚନ୍ଦ୍ରବୀରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରଙ୍କ ପିତା ଦେବେନ୍ଦ୍ର ସିଂ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ।

Also Read :- ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ ମାଆ, ଭଲ ହେବା ବଦଳରେ ସବୁଦିନ ପାଇଁ ଛାଡ଼ିଦେଲା ହାତ...

ସ୍ଥାନୀୟ ପୋଲିସ ଅଧିକାରୀ ସତ୍ୟବୀର ସିଂ କହିଛନ୍ତି ଯେ, ଅନେକ ଥର ଅଭିଷେକ ଏବଂ ତାଙ୍କ ପରିବାର ଲୋକେ ଚନ୍ଦ୍ରବୀରଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଏହା କାମ ଦେଇନଥିଲା । ତେଣୁ ଅଭିଷେକଙ୍କ ପିତା ବିଜୟ ସିଂ ଏବଂ ମାମୁ ରାଜକୁମାର ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ଅଭିଷେକ ଏବଂ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ରାମୁ ଏବଂ ଉମେଶ କାଇଦା କରି ଚନ୍ଦ୍ରବୀରଙ୍କୁ ଜଙ୍ଗଲକୁ ଡାକିଥିଲେ ।

ଜଙ୍ଗଲରେ ଚନ୍ଦ୍ରବୀରଙ୍କୁ ସମସ୍ତେ ମିଶି ପ୍ରବଳ ମାଡ ମାରିଥିଲେ । ଏଥିରେ ସେ ସଂଜ୍ଞାହୀନ ହୋଇଯାଇଥିଲେ । ଏହାପରେ ତାଙ୍କୁ ଏକ ଦଉଡିରେ ବାନ୍ଧି କୂଅରେ ଫିଙ୍ଗି ଦିଆଯାଇଥିଲା । ଘଟଣାରେ ଅଭିଷେକ, ରାମୁ ଏବଂ ପିତା ବିଜୟଙ୍କୁ ଗିରଫ କରାଯାଇଛି । ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।

ଘଟଣାକୁ ନେଇ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩() ଏବଂ୬୧() ଆଧାରରେ ମାମଲା ରୁଜୁ ହୋଇଛି । ଅଭିଷେକ ମଧ୍ୟ ନିଜ ଦୋଷ ସ୍ୱୀକାର କରିଛନ୍ତି । ସେ ନିଜ ଭଉଣୀଙ୍କ ସମ୍ମାନ ରକ୍ଷା କରିବାକୁ ସାଙ୍ଗକୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ କହିଛନ୍ତି ।