ଉଦଳା: ବ୍ୟବସ୍ଥାରେ ପେଷି ହୋଇ ମିଳୁଥିଲା କଷ୍ଟ । ବାରମ୍ବାର ହେଉଥିଲେ ନିରାଶ। ଶେଷରେ ସମସ୍ତେ ହେଲେ ଏକାଠି। ଆଉ ଖୋଲିଗଲା ସତ। ବର୍ଷାରେ ଓଦା ହୋଇ ସମସ୍ତେ ଏକାଠି ହୋଇ ଠିଆ ହେଲେ ଏବଂ ଏମାନେ କେଉଁ ଯନ୍ତ୍ରଣା ପାଉଛନ୍ତି ତାହା ଜଣାଇଥିଲେ।

ଆଉ କିଏ ହାତରେ ଆଶାବାଡି ଧରି ଛିଡା ହୋଇଛି ….। ଉପରୁ ବର୍ଷା ହେଉଛି କାହା ପାଖରେ ଛତା ଅଛି କାହା ପାଖରେ ନାହିଁ। ଓଦା ହୋଇ ବି ଏମାନେ ଦୃଢ଼ମନା ହୋଇ ଠିଆ ହୋଇଛନ୍ତି। ଏ ଚିତ୍ର ଦେଖି ମନରେ ଅନେକ ପ୍ରଶ୍ନ ଆସୁଥିବ, ହେଲେ ଏମାନେ ସମସ୍ତେ ଛିଡା ହୋଇଛନ୍ତି କେବଳ ପାଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇଁ। ସମସ୍ତେ ମିଳିତ ଭାବେ ବିକ୍ଷୋଭ କରୁଛନ୍ତି। ସମସ୍ତଙ୍କ ଉପସ୍ଥିତି ଖୋଲି ଦେଇଛି ଭତ୍ତା ଯନ୍ତ୍ରଣାର ସତ। କପ୍ତିପଦା ବ୍ଲକ ଶରତ ଛକ ଠାରେ ଦେଖିବାକୁ ମିଳିଥିବା ଏହି ଚିତ୍ର । ଭତ୍ତା ପାଇଁ ଏମାନେ ସମସ୍ତେ ବିକ୍ଷୋଭ କରୁଥିଲ।

ଶରତ, କଳମଗଡିଆ, ରାମଚନ୍ଦ୍ରପୁର, ନୋଟ, ଦେବାନବାହାଳୀ, ଲାବଣ୍ୟଦେଇପୁର, ରାଣୀପୋଖରୀ, ପଦ୍ମପୋଖରୀ ପଞ୍ଚାୟତର ହିତାଧିକାରୀ ରୁଣ୍ଡ ହୋଇଥିଲେ । ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା ବିକ୍ଷୋଭ ଜରିଆରେ ଭତ୍ତା ଗଣ୍ଡକ ପାଇବା ଆଶାରେ ଏଠାକୁ ଆସିଥିଲେ। ହାତରେ ଆଧାର କାର୍ଡ ଧରି ନିଜର ବୟସ ଦେଖାଇଥିଲେ। କାହାର ଅଭିଯୋଗ ଥିଲା ପୂର୍ବରୁ ଭତ୍ତା ପାଉଥିଲେ ଏବେ ବନ୍ଦ ହୋଇଯାଇଛି, ତ ଆଉ କିଏ ଦୀର୍ଘ ବର୍ଷ ହେବ ଆବେଦନ କରି ଭତ୍ତା ପାଉନଥିବା କହିଥିଲେ। ପୁଣି ଆଉ କିଏ ବ୍ୟାଙ୍କକୁ ଭତ୍ତା ଆସୁ ନ ଥିବାରୁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ହାଲିଆ ହୋଇଯାଇଥିବା କହିଛନ୍ତି । ସମସ୍ତେ ନିଜର ହକ ପାଇଁ ଦାବି କରି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀଙ୍କ ସହିତ ୯ ପଞ୍ଚାୟତର ସରପଞ୍ଚ ସାମିଲ ହୋଇଥିଲେ।

ଭତ୍ତା ହିତାଧିକାରୀଙ୍କ ସହିତ କପ୍ତିପଦା ବିଡ଼ିଓ ଆଲୋଚନା କରିଥିଲେ। ଟେକ୍ନିକାଲ ସମସ୍ୟା ପାଇଁ ଭତ୍ତା ବନ୍ଦ ଥିବା ଏବଂ ଖୁବଶୀଘ୍ର ସମାଧାନ ହୋଇ ଆସନ୍ତା ମାସ ସୁଦ୍ଧା ଭତ୍ତା ମିଳିବ ବୋଲି କହିଛନ୍ତି।ଭତ୍ତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଆଜିର ଏହି ବିକ୍ଷୋଭ ବାସ୍ତବରେ ଭତ୍ତାର ସତ ଖୋଲିଛି। ଏହି ଚିତ୍ରରେ ସୁଧାର ନ ଆସିଲେ ଆଗାମୀ ଦିନରେ ଆହୁରି ସାଙ୍ଘାତିକ ସ୍ଥିତି ସାମ୍ନାକୁ ଆସିପାରେ।