ଭରତଙ୍କ ପରି ଛାଡିଦେଲେ ସିଂହାସନ, ଶାସନ ସମ୍ଭାଳିଲେ କିନ୍ତୁ ସମ୍ମାନ ଥିଲା ଶୀର୍ଷରେ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ ୨୬/୦୯: ଦିନେ ଭାଇ ପାଇଁ ସିଂହାସନ ଛାଡିଥିଲେ ମର୍ଯ୍ୟାଦାପୁରୁଷୋତ୍ତମ । ଆଉ ସେହି ଭାଇ ଦେଇଥିବା ସଂସ୍କାରକୁ ଆଗେଇ ନେଇଥିଲେ ସାନ ଭାଇ । ବଡ ନଥିବାବେଳେ ରାଜ୍ୟର ସିନା ଦାୟିତ୍ୱ ନେୃଲେ, କିନ୍ତୁ ଭାଇକୁ ରଖିଲେ ସର୍ବାଗ୍ରେ । ଖାଲି ରଖିଲେ ଭାଇର ରାଜ ସିଂହାସନ । ଆଶିର୍ବାଦ ସ୍ୱରୁପ ଅଗ୍ରଜଙ୍କ କଠଉ ରଖି ପାଦୁକା ପୂଜା କଲେ । ଯାହା କାଳ କାଳକୁ ରଖିଗଲା ଯଶ । ଆମେ କହୁଛୁ ରାମଚନ୍ଦ୍ର-ଭରତଙ୍କ କଥା । 

ତ୍ରେତୟା ଯୁଗ ପରେ ଏବେ କଳିଯୁଗରେ ନଜର ଆସିଛି ସେହି ସଂସ୍କାର । ରାଜନୀତିରେ ଦେଖିବାକୁ ମିଳିଛି ସିଂହାସନ ଖାଲି ରଖିବାର ପରମ୍ପରା । ଏହାର ସଦ୍ୟ ଉଦାହରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଖାଲି ଆତିଶୀ ନୁହେଁ ପୂର୍ବରୁ ରାଜନୀତିରେ ନଜର ଆସିଥିଲା ସମାନ ଦୃଶ୍ୟ । ନିଜ ଗୁରୁଙ୍କ ପାଇଁ ତ୍ୟାଗ କରିଥିଲେ ପନ୍ନୀରସେଲଭମ । ମୁଖ୍ୟମନ୍ତ୍ରୀ ସିନା ହେଲେ କିନ୍ତୁ ନିଜ ପ୍ରିୟର ଆମ୍ମାଙ୍କ ବସାଇଥିଲେ ହୃଦୟରେ । 


୨୩ ବର୍ଷ ତଳେ ଦୋହଲିଯାଇଥିଲା ତାମିଲନାଡୁ ରାଜନୀତି । ତାନସୀ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିଲେ AIADMK ନେତ୍ରୀ ଜୟଲଳିତା । ଦୋଷୀ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଦେବାକୁ ପଡିଥିଲା ଇସ୍ତଫା । ୨୦୦୧ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ, ବଡ଼ ବିଜୟ ସହ ୫ ବର୍ଷର ଅପେକ୍ଷା ପରେ କ୍ଷମତାକୁ ଫେରିଥିଲେ ଆମ୍ମା । ଦ୍ୱିତୀୟ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ । କିନ୍ତୁ କ୍ଷମତାକୁ ଆସିବାର ମାତ୍ର କିଛି ମାସ ପରେ ତାଙ୍କୁ ସିଏମ ପଦରୁ ଦେବାକୁ ପଡିଥିଲା ଇସ୍ତଫା । 

ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଥିଲେ ଆମ୍ମାଙ୍କ ବିଶ୍ୱସ୍ତ ନେତା । ପନ୍ନୀରସେଲଭମ୍‌ଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଜୟଲଳିତା । ୨୧ ସେପ୍ଟେମ୍ୱରରେ ସେଲଭମ୍ ମୁଖ୍ୟମନ୍ତ୍ରୀ ଭାବରେ ନେଇଥିଲେ ଶପଥ । ଶପଥ ନେବାକୁ ଯିବା ପୂର୍ବରୁ ଜୟଲଳିତାଙ୍କ ପାଦ ଛୁଇଁଥିଲେ।

ତେବେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସତ, କିନ୍ତୁ ଚେୟାରରେ ନ ବସିବାକୁ ନିଷ୍ପତ୍ତି ନେଇଥିଲେ। ଖାଲି ସେତିକି ନୁହେଁ କାର୍ଯ୍ୟ କରିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ ବି କରିନଥିଲେ। ତେବେ ଖାସ୍ କଥା ହେଉଛି ଜୟଲଳିତାଙ୍କ ଫଟୋକୁ ପକେଟରେ ରଖୁଥିଲେ ପନ୍ନୀର । ଠିକ୍ ୬ ମାସ ପରେ, ମାର୍ଚ୍ଚ ୨୦୦୨ରେ, ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଜୟଲଳିତା । 

ପନ୍ନୀରସେଲଭମ ଖୁସି ଖୁସି ପଦରୁ ଦେଇଥିଲେ ଇସ୍ତଫା । ତାଙ୍କର ପ୍ରଥମ କାର୍ଯ୍ୟକାଳରେ ମାତ୍ର ୧୬୨ ଦିନର ମୁଖ୍ୟମନ୍ତ୍ରୀ ଥିଲେ । ତଥାପି ତାଙ୍କ କାର୍ଯ୍ୟକାଳ ଖରାପ ବର୍ଣ୍ଣନା କରାଯାଇ ତାଙ୍କୁ ମିଳିଥିଲା 'ରବର ଷ୍ଟାମ୍ପ ସିଏମ'ର ଆଖ୍ୟା । ୨୦୧୬ରେ ଜୟାଙ୍କ ମୃତ୍ୟୁ ପରେ ପନ୍ନୀରସେଲଭମ୍ ଉପରେ ବିଶ୍ୱାସ କରି ତାଙ୍କୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇଲା ଦଳ ।  

ଏବେ ସେହି ଇତିହାସର ହୋଇଛି ପୁନରାବୃତ୍ତି । ଅବକାରୀ ନୀତି ମାମଲାରେ ଛନ୍ଦି ହୋଇଥିବା କେଜ୍ରିଓ୍ୱାଲ ଜେଲ୍ରୁ ଫେରିବା ପରେ ଛାଡିଛନ୍ତି ସିଏମ୍ ପଦ । ଫଳରେ ତାଙ୍କ ବିଶ୍ୱସ୍ତ ଆତିଶୀଙ୍କ ହାତରେ ଦିଲ୍ଲୀ ଦରବାର ଦାୟିତ୍ୱ । ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆତିଶୀ । କିନ୍ତୁ ବସିନଥିଲେ ସିଏମ୍ ଚୌକିରେ । ଲାଲ ରଙ୍ଗର ଚୌକି ପାଖରେ ଧଳା ଚେୟାର ପକାଇ ବସିଥିଲେ ଆତିଶୀ । କାନ୍ଦି କାନ୍ଦି କହିଥିଲେ କେଜ୍ରିଙ୍କୁ ଅପେକ୍ଷା କରିଛି ଚାଙ୍କ ଚୌକି । ରାଜକୁମାର ଭରତଙ୍କ ପରି ରାଜ୍ୟ ଦାୟିତ୍ୱ ଭାର ନେବେ ବୋଲ କରିଥିଲେ ସ୍ପଷ୍ଟ । ଏବେ ମୁଖ୍ୟମନ୍ତ୍ରୀ ଭବନ ପରେ ବିଧାନସଭାରେ ବି କେଜ୍ରିଙ୍କ ଚେୟାର ଫାଙ୍କା ପଡିବା ନେଇ ହେଉଛି ଚର୍ଚ୍ଚା । 

ଗୁରୁ-ଶିଷ୍ୟର ପରମ୍ପରା ବେଶ ନିଆରା । ସେ ଶିକ୍ଷାନୁଷ୍ଠାନ ହେଉ ବା ଯୁଦ୍ଧକ୍ଷେତ୍ର । ସବୁଠି ନଜର ଆସେ ଆଖି ଓଦା ହୋଇଯିବା ଭଳି ଦୃଶ୍ୟ । ଧିରେ ଧୀରେ ଏହା ରାଜନୀତିକୁ ବ୍ୟାପିଯାଇଛି । ସତ୍ତାରେ ମୁଖିଆ ଛନ୍ଦି ହେବା ପରେ ଘର ସମ୍ଭାଳିବାକୁ ଆଗେଇ ଆସିଛନ୍ତି ତାଙ୍କନ ଘନିଷ୍ଠ । ଖାଲି ସମ୍ଭାଳିନାହାଁନ୍ତି ତ ଦେଇଛନ୍ତି ବଳିଦାନ । ଗୁରୁଙ୍କୁ ଆସନରେ ବସାଇ ତ୍ୟାଗର ଦେଇଛନ୍ତି ବଳିଷ୍ଠ ଉଦାହାରଣ । 



 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.