ଆଠଗଡ୨୫/୨: ଆଠଗଡ ବନଖଣ୍ଡରେ ଅସୁରକ୍ଷିତ ହାତୀ । ପୁଣି ସାମ୍ନାକୁ ଆସିଛି ହାତୀ ମୃତ୍ୟୁ ଖବର । ଆଠଗଡ ରେଞ୍ଜ କୁଆଇଲୋ କ୍ରସର ପଡିଆରେ ଦନ୍ତା ହାତୀର ମୃତଦେହ ମିଳିଛି । ହାତୀର ଶୁଣ୍ଢରେ ବିଦ୍ୟୁତ ତାର ଗୁଡାଇ ହୋଇ ରହିଛି । ସେଥିପାଇଁ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କ୍ରସର ପଡିଆ ଦେଇ ଯାଇଥିବା ୩୩କେଭି ତାରରୁ ପାଖରେ ଥିବା କ୍ରସରକୁ ୧୧ କେଭି ଜରିଆରେ ଯାଇଥିବା ତାରରୁ କରେଣ୍ଟ ଲାଗି ମୃତ୍ୟୁ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ୧୧କେଭି ତାର ମାତ୍ର ୧୦ ଫୁଟ୍ ଉଚ୍ଚତାରେ ଯାଇଛି । ବିଦ୍ୟୁତ ବିଭାଗର ଏପରି ଅବହେଳାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ହୋଇଛି ଅସନ୍ତୋଷ । ଖବର ପାଇ ଘଟଣାସ୍ଥଳରେ ଆଠଗଡ ବନ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି ।
ବିପଦରେ ଜାତୀୟ ଐତିହ୍ୟ ଜୀବ ହାତୀ । ଦିନେ ହାତୀ ମଣିଷର ସାଥୀ ଭାବେ ପରିଚୟ ସୃଷ୍ଟି କରିଥିବାବେଳେ ଏବେ ଏମାନଙ୍କ ଜୀବନ ସଂକଟରେ । ଦ୍ରୁତ ଶିଳ୍ପାୟନ,ଜଙ୍ଗଲ କ୍ଷୟ ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାରେ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି । ଆଉ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଜଙ୍ଗଲ ଛାଡି ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳୁଛି । କେତେବେଳେ କରେଣ୍ଟ ତ ଆଉ କେତେବେଳେ ଦୁର୍ଘଟଣା ନେଉଛି ହାତୀଙ୍କ ଜୀବନ ।
ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷର ଜୀବନ ଯାଉଛି । ହେଲେ ଏହି ବିଶାଳ ଜନ୍ତୁର ସୁରକ୍ଷା ଆମ ପରିବେଶ ସନ୍ତୁଳନ ପାଇଁ ନିହାତି ଦରକାର । କିନ୍ତୁ ଆଶ୍ଚର୍ଯ୍ୟର କଥା ଗତ କିଛି ବର୍ଷ ଭିତରେ ଓଡ଼ିଶାରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ ହାର । ପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ଦିନେ ହାତୀ ବଂଶ ପାଇଁ ଗର୍ବିତ ଥିବା ଓଡ଼ିଶା ଏବେ ହାତୀ ମାନଙ୍କ ସମାଧି ସ୍ଥଳ ପାଲଟିବାକୁ ଯାଉଛି ।