ଲେବାନନରେ ଘର ଛାଡିଲେ ୧୦ ଲକ୍ଷ ନାଗରିକ, ବିଧ୍ୱଂସ ଲିଳା ଦେଖି ମଧ୍ୟପ୍ରାଚ୍ୟ ତଟସ୍ଥ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୯: ଲେବାନନ ମନ୍ତ୍ରୀ ନାସିର ୟାସୀନ ଇସ୍ରାଏଲ ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧୦ ଲକ୍ଷ ଲେବାନନ ନାଗରିକ ବେଘର ହୋଇଥିବା କହିଛନ୍ତି।  ମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ଯେପରି ଆକ୍ରମଣ କରୁଛି ଏଥିରେ ଅନେକ ପରିବାର ଲେବାନନ ଛାଡିବାକୁ ବାଧ୍ୟ ହୋଇଛନ୍ତି। ହିଜବୁଲ ମୁଖ୍ୟ ହସନ ନସରଲ୍ଲା ମୃତ୍ୟୁରେ ଲେବାନନ ଏବେ ୩ ଦିନିଆ ଶୋକ ପାଳନ କରୁଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ନସରଲ୍ଲାର ମୃତ୍ୟୁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି। 

ତେବେ ନସରଲ୍ଲାର ମୃତ୍ୟୁରେ ଲେବାନନ କ୍ଷୁବ୍ଧ ହୋଇଛି । ଏଣୁ ଲେବାନନ ମଧ୍ୟ ଏବେ ହିଜବୁଲ ଯୁଦ୍ଧକୁ ନିଜ ଯୁଦ୍ଧ ଭାବେ ଗ୍ରହଣ କରି ପ୍ରତି ଆକ୍ରମଣ ଆରମ୍ଭ କରିଛି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଲେବାନନକୁ ଛାଡୁ ନାହିଁ। ପ୍ରତି ଆକ୍ରମଣର ଜବାବ ଦେଉଛି। ଯାହା ଲେବାନନରେ ବ୍ୟାପକ କ୍ଷୟକ୍ଷତିର କାରଣ ପାଲଟିଛି। ଆମେରିକା ହିଜବୁଲ ମୁଖ୍ୟଙ୍କ ମୃତ୍ୟୁରେ ବଡ଼ ବୟାନ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ଆତ୍ମ ରକ୍ଷାକୁ ସମର୍ଥନ କରିଛନ୍ତି। ବାଇଡେନ କହିଛନ୍ତି ନସରଲ୍ଲା ଆମେରିକୀୟଙ୍କ ହତ୍ୟା ଲାଗି ଦାୟୀ। 

ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ନସରଲ୍ଲାକୁ ସେହି ସମୟରେ ଟାର୍ଗେଟ କରିଥିଲା ଯେତେବେଳେ ସେ ଇସ୍ରାଏଲ ଉପରେ ନିର୍ଣ୍ଣାୟକ ଆକ୍ରମଣ ଲାଗି ଯୋଜନା କରୁଥିଲା। ଏଥିପାଇଁ ବୈଠକରେ ଯୋଗ ଦେବାକୁ ସେ ମାତ୍ର କିଛି ମିନିଟ୍ ପୂର୍ବରୁ ହିଜବୁଲ ମୁଖ୍ୟାଳୟକୁ ପହଞ୍ଚିଥିଲା। ବୈଠକ ଚାଲିଥିବା ବେଳେ ଇସ୍ରାଏଲ ହିଜବୁଲ ମୁଖ୍ୟାଳୟ ଉପରେ ବଙ୍କରବଷ୍ଟର ବୋମାରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ନସରଲ୍ଲା ସମେତ ହିଜବୁଲର କେତେକ କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି। 

ସେପଟେ ଆଇଡିଏଫ ଲେବାବନନକୁ ଗାଜାରେ ରୂପାନ୍ତରିତ କରିବା ଆରମ୍ଭ କରିଦେଇଛି। ବିମାନ ଆକ୍ରମଣରେ ଘରଦ୍ୱାର ଆବାସିକ ଅଞ୍ଚଳ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଲେବାବନନର ଅବସ୍ଥା ମଧ୍ୟପ୍ରାଚ୍ୟ ଦେଶମାନଙ୍କୁ ବିସ୍ମିତ କରିଛି। ଯଦି ଏହି ଯୁଦ୍ଧ ଆଉ କିଛି ସମୟ ଜାରି ରହେ ତେବେ ଲେବାନନ ଗାଜାଷ୍ଟ୍ରିପରେ ପରିଣତ ନ ହେବ ତାହା କହି ହେବ ନାହିଁ। ଏଣୁ ଲୋକେ ଯୁଦ୍ଧଭୟରେ ଏବେ ଲେବାନନ ଖାଲି କରିବାରେ ଲାଗିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.