ପ୍ରତୀକ୍ଷାର ଘଟିଲା ଅନ୍ତ, ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିରରେ ପ୍ରବେଶ କଲେ ୧୧ ଜଣିଆ ଟିମ୍

Published By : Prameya-News7 Bureau | July 14, 2024 IST

ପୁରୀ ୧୪: ଶ୍ରୀ ଜଗନ୍ନାଥପ୍ରେମୀଙ୍କ ପ୍ରତୀକ୍ଷାରେ ଅନ୍ତ । ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ଜଣିଆ ଟିମ୍‌ । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଶ୍ରୀମନ୍ଦିର ଗଲା ଟିମ୍‌ । ଏହି ୧୧ ଜଣିଆ ଟିମ୍‌ ରତ୍ନଭଣ୍ଡାର ଭିତରକୁ ଯିବେ । ଦିନ ୧ଟା ୨୮ରେ ଚାବି ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ଭଣ୍ଡାର ମାଳିକାଣୀଙ୍କ ଆଜ୍ଞା ନିଆଯିବ

ମା' ବିମଳା ଓ ଲକ୍ଷ୍ମୀଙ୍କ ଅନୁମତି ନେଇ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ ।

ରତ୍ନଭଣ୍ଡାର ଖୋଲିବା ପାଇଁ ସୁରକ୍ଷା ବଳୟରେ ଶ୍ରୀମନ୍ଦିରକୁ ରଖାଯାଇଛି । ୪ ଥାକିଆ ସୁରକ୍ଷା ବଳୟରେ ଶ୍ରୀମନ୍ଦିର ରହିଛି । ମନ୍ଦିର ଭିତରେ ଅଛନ୍ତି ୫ ପ୍ଲାଟୁନ ପୋଲିସ । ଶ୍ରୀମନ୍ଦିରରେ ଥିବା ଭକ୍ତଙ୍କୁ ବାହାର କରାଯାଇଛି । ଅଧିକୃତ ବ୍ୟକ୍ତିଙ୍କ ବ୍ୟତୀତ କେହି ରହିପାରିବେନି । ୧୧ ଜଣିଆ ଟିମ୍‌ ନବାହାରିବା ଯାଏ କେହି ରହିବେନି ।

ସେପଟେ ଶ୍ରୀମନ୍ଦିରକୁ ନିଆଯାଇଛି ୬ଟି କାଠ ସିନ୍ଦୁକ । ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ନିଆଯାଉଛି । ୩ ଦିନରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ସିନ୍ଦୁକ । ୬ଟି ସିନ୍ଦୁକରେ ରଖାଯିବ ଅଳଙ୍କାର । ଅଳଙ୍କାର ସିନ୍ଦୁକରେ ରଖି ସ୍ଥାନାନ୍ତର କରାଯିବ । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ହେବ । ପରେ ଅଳଙ୍କାର ଗଣତି ଓ ମଣତି ହେବ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୪ ଦଶନ୍ଧି ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରବିବାର ଅପରାହ୍ନ ୧ଟା ୨୮ ମିନିଟ୍‌ରେ ରତ୍ନଭଣ୍ଡାର ଖୋଲିବା ନେଇ ଶୁଭ ମୁହୂର୍ତ୍ତ ରହିଛି । ଶୁଭ ମୁହୂର୍ତ୍ତରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯଦି ଚାବିରେ ନଖୋଲିଲା ତେବେ ଚାବି ଭଙ୍ଗାଯିବ । ଏଥିପାଇଁ ତାଲା ଭଙ୍ଗା ଟିମ୍‌ର ସହାୟତା ନିଆଯିବ । ଭଣ୍ଡାର ଖୋଲିବା ପୂର୍ବରୁ ବିଧିବଦ୍ଧ ଭାବେ ମହାପ୍ରଭୁ, ମା’ ଲକ୍ଷ୍ମୀ, ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ, ମା’ ବିମଳାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ବେଢ଼ାରେ ଥିବା ଅନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲାଯିବ । ଭିତରେ ସାପ ଥିବାର ଆଶଙ୍କା ଥିବାରୁ ସ୍ନେକ୍‌ ହେଲପ୍‌ଲାଇନର ସହାୟତା ନିଆଯାଇଛି । ଡାକ୍ତରୀ ଦଳ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ମହଜୁଦ ରହିଛନ୍ତି । ଆବଶ୍ୟକ ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ।

ରତ୍ନ ଗଣତି ମଣତି, ସ୍ଥାନାନ୍ତର ଓ ରତ୍ନଭଣ୍ଡାର ମରାମତି ନେଇ ବିଭିନ୍ନ କମିଟି କରାଯାଇଛି । ଏହାର ଅଧ୍ୟକ୍ଷମାନେ ଆବଶ୍ୟକ କାର୍ଯ୍ୟ ତୁଲାଇବେ । ରତ୍ନଭଣ୍ଡାରରେ ମହଜୁଦ୍‌ ଥିବା ସିନ୍ଦୁକ ସିଲ୍‌ ଉଦ୍ଧାର କରାଯାଇ ଶ୍ରୀମନ୍ଦିର ଭିତରେ କରାଯାଇଥିବା ଦୁଇଟି ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରି ରଖାଯିବ । ଖଟଶେଜ ଘର ଓ ଚାଙ୍ଗଡ଼ା ଘରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ କରାଯାଇଛି । ରତ୍ନଭଣ୍ଡାର ଗଣତିମଣତି ସମୟରେ ରେକର୍ଡ ରଖିବାକୁ ଭିଡିଓଗ୍ରାଫି କରାଯିବ । ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ସ୍ଥାନାନ୍ତର କରାଯିବ । ଏହାପରେ ଗଣତି ହେବ ।

You Can Read:

ଶୁଭ ମୁହୂର୍ତ୍ତ ଦିନ ୧ଟା ୨୮ରେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର, ଶ୍ରୀମନ୍ଦିରରେ ପ୍ରବେଶ କଲେ ଓଡ୍ରାଫ୍ ଟିମ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.