IAF ଫାଇଟର ସ୍କ୍ୱାଡ୍ରନରେ ସାମିଲ ହେବେ ଆଉ ୧୨ ସୁଖୋଇ-୩୦, ଡିଲ ଫାଇନାଲ

Published By : Prameya-News7 Bureau | December 13, 2024 IST

ନୂଆଦିଲ୍ଲୀ ୧୩।୧୨: ଭାରତୀୟ ବାୟୁସେନା (ଆଇଏଏଫ)ର ଫାଇଟର ସ୍କ୍ୱାଡ୍ରନ ଦୀର୍ଘ ସମୟ ହେଲା ହ୍ରାସର ସମ୍ମୁଖୀନ ହୋଇଛି। ଟୁ-ଫ୍ରଣ୍ଟ ୱାର ସମ୍ଭାବନା ଯୋଗୁ ବର୍ତ୍ତମାନ ଆଇଏଏଫର ସ୍ୱୀକୃତ ଷ୍ଟ୍ରେନଥ୍ ରେ ୪୨ଟି ସ୍କ୍ୱାଡ୍ରନ ରହିବା କଥା। ହେଲେ ନୂଆ ଜାହାଜ କିଣା ଯାଉନଥିବା ବେଳେ ପୁରୁଣା ସର୍ଭିସରୁ ଆଉଟ୍ ହେଉଛନ୍ତି। ଏଭଳି ସମସ୍ୟାରେ ଆଇଏଏଫକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭାରତ ସରକାରଙ୍କ ସୁରକ୍ଷା ସମ୍ପର୍କିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ କମିଟି (ସିସିଏସ) ୧୨ଟି ସୁଖୋଇ-୩୦ ଫାଇଟର ଜେଟ୍ କ୍ରୟ ଉପରେ ମୋହର ଲଗାଇଛନ୍ତି। 

ଏଥି ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ସହିତ ୧୩,୫୦୦ କୋଟି ଟଙ୍କାର ଡିଲରେ ସ୍ୱାକ୍ଷର କରିଛନ୍ତି। ଭାରତରେ ଏହି ଜେଟ୍ ଗୁଡିକର ଉତ୍ପାଦନ ଋଷିଆ ଲାଇସେନ୍ସ ଅନୁସାରେ ହେବ। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବୟାନ ଜାରି କରାଯାଇଥିବା ବେଳେ କୁହାଯାଇଛି ଯେ ଏହି ଜେଟ୍ ଗୁଡିକର ଉତ୍ପାଦନ ଏଚଏଏଲର  ନାସିକ୍ ଫ୍ୟାକ୍ଟ୍ରିରେ କରାଯିବ ଓ ଏଥିରେ ସ୍ୱଦେଶୀକରଣର ଭାଗ ୬୨.୬ ପ୍ରତିଶତ ରହିବ। 

ଏହି ଫ୍ୟାକ୍ଟ୍ରିରୁ ପ୍ରଥମେ ମିଗ୍ ଓ ପରେ ଋଷିଆ ଲାଇସେନ୍ସରେ ସୁଖୋଇ-୩୦ ଫାଇଟର ଜେଟର ଉତ୍ପାଦନ ହୋଇସାରିଛି। ୧୯୯୦ ମସିହାରେ ଋଷିଆ ସହିତ ଭାରତ ୨୭୨ଟି ସୁଖୋଇ-୩୦ ବିମାନ ନିମନ୍ତେ ଡିଲ କରିଥିଲା। ଏଥିରୁ କିଛି ସିଧା ଋଷିଆରୁ ତିଆରି ହୋଇ ଆସିଥିବା ବେଳେ ବାକି ଉତ୍ପାଦନ ଭାରତରେ ଏଚଏଏଲ କରିଥିଲେ। ଏଥିରୁ ୧୩ଟି ସୁଖୋଇ-୩୦ ଏୟାରକ୍ରାଫ୍ଟ କ୍ରାସ୍ ହୋଇଥିବା ବେଳେ ଏବେ ବିଭିନ୍ନ ସ୍କ୍ୱାଡ୍ରନରେ ୨୫୯ଟି ସୁଖୋଇ-୩୦ ବିମାନ ଅଛି। ଏହି ଅଭାବ ପୁରଣ କରିବା ପାଇଁ ୧୨ଟି ସୁଖୋଇ-୩୦ ଜେଟ୍ ଲାଗି ଡିଲ ହୋଇଛି। 

ଆଇଏଏଫର ଏବେ ଦେଶରେ ୧୩ଟି ସ୍କ୍ୱାଡ୍ରନ ରହିଛି। ଏଥିରେ ସୁଖୋଇ-୩୦ର ସଂଖ୍ୟା ସବୁଠୁ ଅଧିକ। ୨ଟି ସିଟ୍ ଓ ୨ଟି ଇଞ୍ଜିନର ଏହି ବିମାନ ସର୍ବାଧିକ ୨ ମ୍ୟାକ୍ ବେଗରେ ଉଡିପାରେ ଓ ଥରକରେ ୩୦୦୦ କିଲୋମିଟର ଦୂରତାକୁ ପହଞ୍ଚିପାରେ। ସୁଖୋଇକୁ ଭାରତରେ ବ୍ରହ୍ମୋସ କ୍ଷେପଣାସ୍ତ୍ରରେ ସଜ୍ଜିତ କରାଯାଇସାରିଛି। ଏଥିରେ ୧୨ଟି ପଡ ଲାଗିଛି ଯେଉଁଥିରୁ ଅଲଗା ଅଲଗା ପ୍ରକାରର କ୍ଷେପଣାସ୍ତ୍ର ଓ ବୋମା ଲଗାଯାଇ ପାରେ। ଏହି ବିମାନ ନିଜ ଦେହରେ ମୋଟ ୮୦୦୦ କେଜି ୱଜନର ଅସ୍ତ୍ରଶସ୍ତ୍ର ବହନ କରିପାରେ। 

ଏହା ମଲ୍ଟି ରୋଲ ହୋଇଥିବାରୁ ଏଥିରୁ ଆକାଶରୁ ଆକାଶକୁ ଓ ଆକାଶରୁ ଭୂପୃଷ୍ଟକୁ ଆକ୍ରମଣ କରିପାରୁଥିବା ଅସ୍ତ୍ରଶସ୍ତ୍ର ଲଗାଯାଇ ପାରିବ। କାର୍ଗିଲ ଯୁଦ୍ଧପରେ ବାଲାକୋଟ ଷ୍ଟ୍ରାଇକ୍ ଏକ ଏପରି ସୁଯୋଗ ଥିଲା ଯେଉଁଥିରେ ରିୟଲ କମ୍ବାଟ ମିସନ ନିମନ୍ତେ ଅପରେସନ ଲଞ୍ଚ କରାଯାଇଥିଲା। ସୁଖୋଇ ଏହି ଫାଇଟର ପ୍ୟାକେଜର ଅଂଶ ଥିଲା। ଏହି ମିସନରେ ମିରାଜ-୨୦୦୦ ବୋମା ବର୍ଷା କରିଥିଲା ତେବେ ସୁଖୋଇ ସେହି ମିରାଜମାନଙ୍କୁ ବାଲାକୋଟ ପର୍ଯ୍ୟନ୍ତ ନେଇଯିବାକୁ ଫ୍ରି ଏସ୍କର୍ଟର ଦାୟିତ୍ୱ ନିର୍ବାହ କରିଥିଲା। କେବଳ ଏତିକି ନୁହେଁ ଶତ୍ରୁର କୌଣସି ପ୍ରକାରର ଆକ୍ରମଣରେ ମିରାଜକୁ ରକ୍ଷା କରିବା ପାଇଁ ସୁଖୋଇ ଟାଇଡ ଏସ୍କର୍ଟରେ ମଧ୍ୟ ସାମିଲ ଥିଲା। 

ବାଲାକୋଟ ଷ୍ଟ୍ରାଇକ୍ ପରେ ପାକିସ୍ତାନୀ ଏୟାରଫୋର୍ସର ଅପରେସନରେ ମିଗ୍-୨୧ ସହିତ ସୁଖୋଇ ମଧ୍ୟ ଚ୍ୟାଲେଞ୍ଜ କରିଥିଲା। ଏହା ଛଡା ଭାରତ ଓ ଚୀନ ମଧ୍ୟରେ ଲଦ୍ଦାଖରେ ଦେଖା ଦେଇଥିବା ଉତ୍ତେଜନା ପରେ ସୁଖୋଇ ଫାଇଟର ଜେଟ୍ ଗୁଡିକୁ ଲଗାତାର ପ୍ରସ୍ତୁତ ରଖାଯାଇଥିଲା। ଆଇଏଏଫ ବର୍ତ୍ତମାନ ଫାଇଟର ସ୍କ୍ୱାଡ୍ରନ ଅଭାବର ସମ୍ମୁଖୀନ ହୋଇଛି। ବାୟୁସେନା ଲାଗି ସ୍ୱୀକୃତ ୪୨ଟି ସ୍କ୍ୱାଡ୍ରନ ସ୍ଥାନରେ ଏବେ ଏବେ ମାତ୍ର ୩୧ଟି ସ୍କ୍ୱାଡ୍ରନ  କାମ କରୁଛି। ଏହି ଅଭାବକୁ ପୁରଣ କରିବା ପାଇଁ ୧୧୪ଟି ମଲ୍ଟି ରୋଲ ଫାଇଟର ଏୟାରକ୍ରାଫ୍ଟ କ୍ରୟ ନିମନ୍ତେ ପ୍ରକ୍ରିୟା ଜାରି ରହିଛି। ତେବେ ୩୧ଟି ସ୍କ୍ୱାଡ୍ରନକୁ ୪୨ଟିରେ ପହଞ୍ଚାଇବା ପାଇଁ ଆଉ ୧୫ବର୍ଷ ରୁ ଅଧିକ ସମୟ ଲାଗିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.