୧୪ ଥରର ବିଧାୟକ ଓ ସାଂସଦ ଶରଦ ପାୱାର ହାରିଗଲେ ଶେଷ ଲଢେଇ, କହିଲେ- ନେବେ ସନ୍ୟାସ

Published By : Prameya-News7 Bureau | November 23, 2024 IST

ମୁମ୍ବାଇ ୨୩।୧୧: ମହାରାଷ୍ଟ୍ରରେ ମହାଯୁତି ସରକାରର ପ୍ରଚଣ୍ଡ ଜିତ ମଧ୍ୟରେ ରାଜ୍ୟ ରାଜନୀତିର ସ୍ତମ୍ବରୁ ଗୋଟିଏ ଶରଦ ପାୱାରଙ୍କ ଦୀର୍ଘ ଓ ସଫଳ ରାଜନୈତିକ କ୍ୟାରିୟରର ଏକ ମାର୍ମିକ ଅଧ୍ୟାୟ ସାମ୍ନାକୁ ଆସିଛି। ୮୩ ବର୍ଷ ବୟଷ୍କ ନେତା ୨୦୨୬ରେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ସହ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ ବୋଲି ସଂକେତ ଦେଇଛନ୍ତି। ସମାପ୍ତ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ଶରଦ ପାୱାରଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଏନସିପି ପାୱାର ବ୍ଲକ ୮୭ ଆସନରେ ନିର୍ବାଚନ ଲଢିଥିଲା ହେଲେ ଜିତିଥିବା ସିଟ୍ ସଂଖ୍ୟା ନଗଣ୍ୟ। 

ଗତ ଲୋକସଭା ନିର୍ବାଚନ କାଳରେ ଶରଦ ପାୱାରଙ୍କ ପାର୍ଟିର ସଫଳତା ହାର ୮୦ ପ୍ରତିଶତ ଥିଲା। ହେଲେ ୫ ମାସ ବ୍ୟବଧାନରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଏହା ମାତ୍ର ୧୩.୭୯ ପ୍ରତିଶତକୁ ପହଞ୍ଚି ଯାଇଛି। ଏହି ନିର୍ବାଚନ ସରଦ ପାୱାର ଓ ତାଙ୍କ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ପ୍ରତିଦ୍ୱନ୍ଦ୍ୱୀତା  ହୋଇଥିଲା। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଅଜିତଙ୍କ ଗୋଷ୍ଠୀ ଏବେ ଶରଦଙ୍କ ଠାରୁ ଢେର ଆଗରେ। ଶରଦପାୱାରଙ୍କ ପାର୍ଟି ୨୭ଟି ଆସନରେ ଅଜିତଙ୍କଠାରୁ ପଛରେ ପଡିଯାଇଛି। 

ଶରଦ ପାୱାର ତାଙ୍କର ୬ ଦଶନ୍ଧୀର ରାଜନୈତିକ କ୍ୟାରିୟରରେ ୪ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ସେ ମାତ୍ର ୩୮ ବର୍ଷ ବୟସରେ ରାଜ୍ୟର ସବୁଠୁ ଯୁବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କେନ୍ଦ୍ରରେ ସେ କୃଷି ଓ ପ୍ରତିରକ୍ଷା ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ। ୧୯୯୯ ମସିହାରେ କଂଗ୍ରେସରୁ ବାହାର କରାଯିବା ପରେ ଶରଦ ପାୱାର ତାଙ୍କର ନିଜର ଦଳ ଗଠନ କରିଥିଲେ ଓ ମହାରାଷ୍ଟ୍ରରେ ତାଙ୍କ ରାଜନୈତିକ ପ୍ରଭାବକୁ ଅକ୍ଷୁର୍ଣ୍ଣ ରଖିଥିଲେ। ସେ ୨୦୧୯ ମହାବିକାଶ ଅଘାଡ଼ିର ସ୍ଥପତି ଥିଲେ। ଯେଉଁଥିରେ ସେ ବିଜେପି ବିରୋଧରେ ଶକ୍ତିଶାଳୀ ମେଣ୍ଟ ଗଠନ କରିବାକୁ କଂଗ୍ରେସ, ଏନସିପି ଓ ଶିବସେନାକୁ ଏକାଠି ଆଣିଥିଲେ। 

ନିକଟରେ ପାୱାର ବାରାମତିରେ ଘୋଷଣା କରିଥିଲେ ସେ ଆଉ ନିର୍ବାଚନ ଲଢିବେନି। ବାରାମତିରୁ ୧୪ ଥର ବିଧାୟକ ଓ ସାଂସଦ ନିର୍ବାଚିତ ହୋଇଥିବା ଏହି ନେତା କହିଥିଲେ ମୋ ସମୟ ସରିଆସିଲାଣି। ରାଜ୍ୟସଭାରେ ମୋର କାର୍ଯ୍ୟକାଳ ସମାପ୍ତ ହେବା ପରେ ମୁଁ ଆଉ ରାଜନୀତିରେ ସକ୍ରିୟ ରହିବିନି। ଶରଦ ପାୱାର ରାଜନୀତିରୁ ଯିବା ନା କେବଳ ତାଙ୍କ ପାର୍ଟି ଲାଗି ବରଂ ମହାରାଷ୍ଟ୍ର ରାଜନୀତି ନିମନ୍ତେ ଏକ ଯୁଗର ଅନ୍ତ ହେବ। 

ତାଙ୍କ ବ୍ୟକ୍ତିତ୍ୱ, ରଣନୀତି ଓ ନେତୃତ୍ୱ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛି। ତେବେ ମହାଯୁତୀ ସରକାରର ପ୍ରଚଣ୍ଡ ବିଜୟ ଓ ଏନସିପିର ବିଭାଜନ ଏକ ନୂଆ ଦିଗ ଖୋଲୁଛି।  ଶରଦ ପାୱାର ରାଜନୀତିରୁ ଏପରି ଚାଲିଯିବା ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିବ। ତେବେ ତାଙ୍କର ଯୋଗଦାନ ଓ ରାଜନୈତିକ ଜ୍ଞାନ ଆଗାମୀ ପିଢୀମାନଙ୍କ ଲାଗି ପ୍ରେରଣାର ସ୍ରୋତ ହୋଇ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.