ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ହାଇଡ୍ରାମା । ୨୧ ନିଲମ୍ବିତ ଆପ୍ ବିଧାୟକଙ୍କୁ ଗୃହ ଭିତରକୁ ପ୍ରବେଶ ମନା ହେବା ପରେ ହଙ୍ଗାମା ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ସହିତ ଆପ୍ ବିଧାୟକମାନେ ବିଧାନସଭା ବାହାରେ ହୋହଲ୍ଲା କରିବା ସହିତ ନାରାବାଜି କରିଛନ୍ତି ।
ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାନ୍ କହିଛନ୍ତି, ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆପ୍ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଖୋଲାଯିବା ଘଟଣାକୁ ନେଇ ବିକ୍ଷୋଭ କରିଥିଲେ । ଯାହାକୁ ନେଇ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ୨୧ଜଣ ବିରୋଧି ଏମଏଲଏଙ୍କୁ ନିଲମ୍ବିତ କରିଥିଲେ । ଫଳରେ ଗୁରୁବାର ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ ଉପରେ ରୋକ୍ ଲଗାଇଯାଇଥିଲା । ଏହାକୁ ନେଇ ବିଧାନସଭା ବାହାରେ ବିଧାୟକମାନେ ନାରାବାଜି କରିଛନ୍ତି । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା କହିଛନ୍ତି ଗତ ୧୦ ବର୍ଷ ଭିତରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା । ଦିଲ୍ଲୀ ବିଧାନସଭାରେ ଏଭଳି ପରମ୍ପରା ନଥିଲା । ତାନାଶାହ ସରକାର ଆସିବା ପରେ ଏଭଳି ଘଟଣା ଘଟୁଛି । ସେପଟେ ବିଜେପି କହିଲା ସବୁ ନିୟମ ଆଧାରରେ ସବୁ କାର୍ଯ୍ୟ ହେଉଛି ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସରକାରର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଆପ୍ ବିଧାୟକମାନେ ନାରାବାଜି କରିଥିଲେ । ଯାହାକୁ ନେଇ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ବିରୋଧି ଦଳ ନେତା ଆତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ମାର୍ଚ୍ଚ ତିନି ତାରିଖ ପର୍ଯ୍ୟନ୍ତ ନିଲମ୍ବିତ କରିଥିଲେ । ଆଜି ସିଏଜି ରିପୋର୍ଟ ଉପରେ ଚର୍ଚ୍ଚା ଜାରି ରହିଥିବା ବେଳେ ସସ୍ପେଣ୍ଡ ବିଧାୟକଙ୍କୁ ଗୃହ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନାହିଁ।....