ଚେନ୍ନାଇ OTA ପାସିଂ ଆଉଟ୍ ପରେଡ ପରେ ଭାରତୀୟ ସ୍ଥଳ ସେନାରେ ସାମିଲ ହେଲେ ୨୯୭ ଅଧିକାରୀ, ଓଡିଶାରୁ ଅଛନ୍ତି ଅନକିତ ରାଜ

Published By : Prameya-News7 Bureau | September 07, 2024 IST

ଚେନ୍ନାଇ : ଚେନ୍ନାଇସ୍ଥିତ ଅଧିକାରୀ ପ୍ରଶିକ୍ଷଣ ଆକାଡେମୀ (ଓଟିଏ)ରେ ଶନିବାର ଅନୁଷ୍ଠିତ ପାସିଂ ଆଉଟ୍ ସମାରୋହରେ ୨୫୮ କ୍ୟାଡେଟ ଅଧିକାରୀ ଓ ୩୯ ମହିଳା କ୍ୟାଡେଟ୍ ଅଧିକାରୀ ଭାରତୀୟ ସେନାର ବିଭିନ୍ନ ୟୁନିଟ୍‌ ଓ ସେବାରେ ଯୋଗ ଦେଇଛନ୍ତି। ଏଥିରେ ଓଡିଶାର ପୁରୀ ଜିଲ୍ଲା କାକଟପୁର ଲତାହରଣ ଗ୍ରାମର ଅନକିତ ରାଜ ବିଶ୍ୱାଳ ମଧ୍ୟ କମିଶନଡ ହୋଇଛନ୍ତି।  ଓଟିଏର ପରମେଶ୍ୱର ଡ୍ରିଲ ସ୍କୋୟାରରେ ଆୟୋଜିତ ପାସିଂ ଆଉଟ୍ ପରେଡରେ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ୍. ରାଜ ସୁବ୍ରମଣୀ ଅଭିବାଦନ ଗ୍ରହଣ କରିଛନ୍ତି। 

ଓଟିଏ ସୂଚନା ଅନୁସାରେ ମିତ୍ର ଦେଶଙ୍କ ୧୦ କ୍ୟାଡେଟ ଅଧିକାରୀ ଓ ୫ ମହିଳା କ୍ୟାଡେଟ ଅଧିକାରୀ ମଧ୍ୟ ସଫଳତା ପୂର୍ବକ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି। ଫଳରେ ଅନ୍ତର୍ଜାତୀୟ ସୀମାରେ ସୌହାର୍ଦ୍ଦ୍ୟ ଓ ସହଯୋଗର ଭାବନାକୁ ପ୍ରୋତ୍ସାହିତ କରିଛି। କ୍ୟାଡେଟ୍ ଅଧିକାରୀ ସଂସ୍ଥାନରେ ସର୍ଟ ସର୍ଭିସ କମିଶନ କୋର୍ସର ୧୧୮ତମ ବ୍ୟାଚ୍ ଓ ମହିଳା କ୍ୟାଡେଟଙ୍କ ୩୨ତମ ବ୍ୟାଚ୍ ଓ ଅନ୍ୟ ସମ୍ବଦ୍ଧିତ ପାଠ୍ୟକ୍ରମ ସହିତ ସମ୍ପର୍କିତ ଥିଲା। ସ୍ଥଳ ସେନା ଉପମୁଖ୍ୟ ତାଙ୍କ ସମ୍ବୋଧନରେ କ୍ୟାଡେଟ୍ ଅଧିକାରୀ ଏବଂ ଓଟିଏ କର୍ମୀଙ୍କ ଅନୁକରଣୀୟ ଉପଲବ୍ଧି ନିମନ୍ତେ ସେମାନଙ୍କ ପ୍ରଶଂସା କରିଛନ୍ତି। 


ଓଟିଓରୁ କମିଶନଡ ଅଧିକାରୀଙ୍କ ମଧ୍ୟରେ ଓଡିଶାର ଅନକିତ ରାଜ ବିଶ୍ୱାଳଙ୍କ ପିତା ଅଭୟ କୁମାର ବିଶ୍ୱାଳ ମଧ୍ୟ ଜଣେ ସେନା ଅଧିକାରୀ। ସେ ଭାରତୀୟ ସେନାରେ ଅନରାରୀ ନାୟକ ସୁବେଦାର ପଦରେ ଅବସ୍ଥାପିତ ଥିବା ବେଳେ ୧୯୮୯ରୁ ସେବା ଦେଇ ଆସୁଛନ୍ତି। ପାସିଂ ଆଉଟ ପରେଡରେ ଅନରାରୀ ନାୟକ ସୁବେଦାର ଅଭୟ କୁମାର ବିଶ୍ୱାଳ ଯୋଗ ଦେଇଥିବା ବେଳେ ପୁଅଙ୍କୁ ସାଲ୍ୟୁଟ କରିଛନ୍ତି। ପିତା ଓ ପୁତ୍ରଙ୍କ ନିମନ୍ତେ ଏହା ଏକ ଗୌରବମୟ ମୁହୁର୍ତ୍ତ ଥିଲା, ଯାହା ଆୟୋଜିତ କାର୍ଯ୍ୟକ୍ରମରେ ଆବେଗମୟ ପରିବେଶ ସୃଷ୍ଟି କରିଛି ଓ ଭାରତୀୟ ସେନାର ଶୃଙ୍ଖଳା ସିଷ୍ଟାଚାରକୁ ପ୍ରଦର୍ଶିତ କରିଛି।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.