ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ହେବ ୩ ଦିନିଆ ଆନ୍ତର୍ଜାତିକ କର୍ମଶାଳା

Published By : Prameya-News7 Bureau | July 15, 2024 IST

News7

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ରେ ଆସନ୍ତା ଜୁଲାଇ ୧୮ ତାରିଖରୁ ଆୟୋଜିତ ହେବାକୁ ଥିବା ଏକ ୩ ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଶିକ୍ଷା, ଶିଳ୍ପ, ଗବେଷଣା ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିତ୍ୱ କରୁଥିବା ବିଶେଷଜ୍ଞମାନେ ଏକାଠି ହୋଇ ଆଲୋଚନା କରିବେ। 

‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଣ୍ଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ଏହି ଆନ୍ତର୍ଜାତିକ କର୍ମଶାଳାକୁ ସୋଆ ପରିଚାଳିତ ସେଣ୍ଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି। 

କୃତ୍ରିମ ବୁଦ୍ଧିମତା, ଡ୍ରୋନ୍‌, କୃଷି କ୍ଷେତ୍ରରେ ସ୍ୱୟଂଚାଳିତ ରୋଗ ଚିହ୍ନଟ ଓ ଚିକିତ୍ସା ପରି ଉପଲବ୍ଧ ବ୍ୟବସ୍ଥା ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ କୃଷି ଉତ୍ପାଦନକୁ ଅଧିକ କରିବା ତଥା ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ନିମନ୍ତେ ଆଲୋଚନା ସହିତ କ୍ଷେତ୍ର ନିର୍ଦ୍ଦିଷ୍ଟ ଜଳବାୟୁ ଅଂଚଳରେ ଫସଲ ଉତ୍ପାଦନର ବିକାଶ ଉପରେ ଚିନ୍ତନ ନିମନ୍ତେ ବୈଜ୍ଞାନିକ ସମୁଦାୟ ଓ ଅନ୍ୟାନ୍ୟ ଅଂଶୀଦାର ମାନଙ୍କୁ ଏକ ମଞ୍ଚ ପ୍ରଦାନ ନିମନ୍ତେ ଏହି ଉଦ୍ୟମ ସହାୟକ ହେବ ବୋଲି ସିସିଏସ୍‌ଏର ନିର୍ଦ୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ୍ୟ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।  

ପୃଥିବୀରେ ଜଳବାୟୁ, ଜଳସମ୍ପଦ ଏବଂ ପରିବେଶ ମିଳିତ ଭାବେ ସନ୍ତୁଳନ ରକ୍ଷା କରିଥାନ୍ତି। କିନ୍ତୁ ଦ୍ରୁତ ସହରୀକରଣ ଏବଂ ମାନବକୃତ କାର୍ଯ୍ୟକଳାପ ଯୋଗୁଁ ଏହି ସନ୍ତୁଳନ ଦୋହଲି  ଯିବାରେ ଲାଗିଛି। ଏହାର ପ୍ରତିଫଳନ ପାଣିପାଗରେ ଅନିୟମିତତା ଜଳବାୟୁ ପରିବର୍ତନ, ବିଶ୍ୱ ତାପନ, ଜଳର ଅଭାବ ଓ ଜଳ, ବାୟୁ ଓ ଭୂମିର ପ୍ରଦୂଷଣ ଭାବେ ପରିଲକ୍ଷିତ ହେଉଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନ ହେଉଛି ଏକ ପ୍ରମୁଖ ପ୍ରସଙ୍ଗ ଯାହାର ସମାଧାନ ଆବଶ୍ୟକ କାରଣ ଏହା ପରିବେଶ ଉପରେ ବହୁଳ ପ୍ରଭାବ ପକାଇପାରେ ବୋଲି ପ୍ରଫେସର ପଣ୍ଡା କହିଛନ୍ତି। କୃଷି ଜଳସମ୍ପଦ ଉପରେ ନିର୍ଭରଶୀଳ ହୋଇଥିବାରୁ ଜଳ ଯୋଗାଣରେ ବିଭ୍ରାଟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କଟ ସମସ୍ୟା ସୃଷ୍ଟି କରିପାରେ ଯାହା ଫଳରେ ଦୀର୍ଘମିଆଦି ଓ ସ୍ୱଳ୍ୱମିଆଦି ମରୁଡ଼ି ଏବଂ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ କହିଥିଲେ।

ପ୍ରଫେସର ପଣ୍ଡା କହିଥିଲେ ଯେ ଏହି ସମ୍ମିଳନୀରେ କୃଷି କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆମେରିକା ଓ ଭାରତର ବିଶିଷ୍ଟ କୃଷି ବିଶେଷଜ୍ଞମାନେ ଯୋଗ ଦେଇ ସେମାନଙ୍କର ଉପଯୋଗୀ ମନ୍ତବ୍ୟ ରଖିବେ । ସେମାନଙ୍କ ମଧ୍ୟରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ, ଜୀବିକା ସନ୍ଧାନରେ ମହାରାଷ୍ଟ୍ରର ଗ୍ରାମାଂଚଳରୁ ସହରାଂଚଳକୁ ଚାଲି ଆସୁଥିବା ଲୋକଙ୍କୁ ପୁଣି ଥରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସଫଳ ହୋଇଥିବା ପାପଟରାଓ ପାୱାର ଓ ବିଶ୍ୱବ୍ୟାଙ୍କର କୃଷି ବିଶେଷଜ୍ଞ ଡକ୍ଟର ରଞ୍ଜନ ସାମନ୍ତରାୟ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.