ନୂଆଦିଲ୍ଲୀ: କେରଳର ୱାୟନାଡ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ କେବଳ ଦେଶ ନୁହେଁ ସମଗ୍ର ବିଶ୍ୱକୁ ଥରାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ୩୫୦ରୁ ଅଧିକ ମୃତଦେହକୁ ମାଟିତଳୁ ବାହାର କରାଯାଇଛି। ୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ୍ ଏବେବି ଚାଲିଛି। ଏଭଳି ପରିସ୍ଥିତିରେ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ମୁଣ୍ଡାକ୍କାଇ ଅଞ୍ଚଳରେ ଯାହା ଘଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଘଟଣାର ତିନି ଦିନ ପରେ ଜୀବନ୍ତ ଓ ସୁରକ୍ଷିତ ଭାବେ ୪ ଜଣ। ସବୁଠୁ ବଡ଼ କଥା ହେଲା ଏହି ୪ ଜଣ ଗୋଟିଏ ପରିବାରର।
ଉଦ୍ଧାରକାରୀ ଟିମ୍ ଗୋଟିଏ ପରିବାରର ଚାରି ଜଣଙ୍କୁ ପଦ୍ମାବତୀ କୁନ୍ନୁ ନିକଟସ୍ଥ ଏକ ସୁରକ୍ଷିତ ସ୍ଥାନରୁ ଉଦ୍ଧାର କରିଛନ୍ତି। ମୁଣ୍ଡାକ୍କାଇ ଅଞ୍ଚଳରେ ଏକ ବଡ଼ ଧରଣର ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ମଙ୍ଗଳବାର ଏଠାରେ ବଡ଼ ଧରଣର ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିଲା। ଭୂସ୍ଖଳନ ପରେ ପରିବାର ଅନ୍ୟଠାରୁ ଅଲଗା ହୋଇଯାଇଥିଲେ। ଏହି ପରିବାରରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳା ଅଛନ୍ତି। ସେନାର ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ପରିବାରକୁ ହେଲିକପ୍ଟର ମାଧ୍ୟମରେ ସ୍ଥାନାନ୍ତର କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ଉଦ୍ଧାରକାରୀ ଟିମ୍ ଫସିରହିଥିବା ପରିବାରର ସମ୍ପର୍କୀୟଙ୍କ ସୂଚନାରେ ପହଞ୍ଚିଥିଲେ।
ଉଦ୍ଧାର ହୋଇଥିବା ପରିବାର ପାହାଡ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଥିଲେ ହେଁ ସେମାନଙ୍କ ଘର ଭୂସ୍ଖଳନରୁ ରକ୍ଷା ପାଇଥିଲା। ତାଙ୍କ ସମ୍ପର୍କୀୟମାନେ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ସେନା ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ଜୀବିତ ଉଦ୍ଧାର କରିଥିଲେ।