ଲକ୍ଷ୍ନୌରେ ଭୁଶୁଡିଲା ୩ ମହଲା କୋଠା, ୪ମୃତ, ୨୮ ଆହତ

Published By : Prameya-News7 Bureau | September 07, 2024 IST

ଲକ୍ଷ୍ନୌ : ଟ୍ରାନ୍ସପୋର୍ଟ ନଗରରେ ଶନିବାର ଏକ ୩ ମହଲା ବିଲ୍ଡିଂ ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଟ୍ରମା ସେଣ୍ଟର ରେଫର କରାଯାଇଛି। ଏହି ବିଲ୍ଡିଂଟି ଏକ ଗୋଦାମ ରୂପେ ବ୍ୟବହାର କରାଯାଉଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସଂଜ୍ଞାନ ନେଇଛନ୍ତି। ୟୁପି ରିଲିଫ କମିଶନଙ୍କ କାର୍ଯ୍ୟାଳୟ ଦ୍ୱାରା ଉପଲବ୍ଧ ସୂଚନା ଅନୁସାରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି। 

ପୋଲିସ ସୂଚନା ଅନୁସାରେ ଧସିପଡିଥିବା ବିଲ୍ଡିଂରେ କିଛି ନିର୍ମାଣ କାମ ଚାଲିଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ବିଲ୍ଡିଂଟି ଭୁଶୁଡିଥିଲା। ଘର ତଳେ ଏବେବି ଲୋକେ ଫଶି ରହିଥିବାର ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଥିବା ରିଲିଫ କମିଶନର ଜି.ଏସ୍. ନବୀନ କୁମାର କହିଛନ୍ତି। ସରୋଜିନୀ ନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। 

ଏନଡିଆରଏଫ ଓ ଏସଡିଆରଏଫ ଭଙ୍ଗା ଘର ତଳେ ପୋତି ହୋଇପଡିଥିବା ଲୋକଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାର ନିଜେ ତଦାରଖ କରୁଛନ୍ତି। କୁହାଯାଉଛି ଭୀଷଣ ବର୍ଷା ଯୋଗୁ ପୁରୁଣା ବିଲ୍ଡିଂଟି ଭୁଶୁଡି ପଡିଛି। ଏହି ବିଲ୍ଡିଂରେ ଔଷଧ ତିଆରି କରାଯାଉଥିଲା। ଘଟଣା କାଳରେ ଘରେ ଅନେକ ଲୋକ ଥିଲେ। ତେବେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇଥିଲେ। ତେବେ ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ରିପୋର୍ଟ ଅନୁସାରେ ଭାଙ୍ଗିପଡିଥିବା ବିଲ୍ଡିଂର ନାମ 'ହର ମିଲାପ' ଓ ଏହାର ଗୋଟିଏ ଅଂଶ ଧସିପଡିଛି। ଘଟଣା ସମ୍ପର୍କିତ ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.