ଭରତପୁର ଥାନା ବିବାଦ ମାମଲା, ନିଲମ୍ବିତ ୪ ପୋଲିସ କର୍ମଚାରୀଙ୍କ ହେବ ନାର୍କୋ ଟେଷ୍ଟ

Published By : Prameya-News7 Bureau | September 27, 2024 IST

ଭୁବନେଶ୍ୱର ୨୭/୦୯: ଭରତପୁର ଥାନା ବିବାଦ ମାମଲା । ଅନ୍ୟ ନିଲମ୍ବିତ ୪ ପୋଲିସ କର୍ମଚାରୀଙ୍କ ହେବ ନାର୍କୋ ଟେଷ୍ଟ । ଭୁବନେଶ୍ୱର SDJM କୋର୍ଟରେ ହାଜର ହେବେ ୪ ପୋଲିସ କର୍ମଚାରୀ । ଏହା ସହିତ ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯିବ । ଏଥିପାଇଁ କୋର୍ଟର ଅନୁମତି ଲୋଡିଲା କ୍ରାଇମବ୍ରାଞ୍ଚ । ୪ ଜଣଙ୍କ ସହମତି ମିଳିଲେ କୋର୍ଟ ନେବ ନିଷ୍ପତ୍ତି । 

ସେପଟେ ଘଟଣାରେ ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ । ଏଥିପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ। ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟକୁ ବି ଅନୁମତି ଦେଇଛନ୍ତି କୋର୍ଟ। ଏହି ୩ଟି ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ।

ସୂଚନା ଥାଉକି, ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ୧୪ ତାରିଖ ରାତିରେ ପଟିଆରୁ ଭରତପୁରକୁ ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍‌କୁ ସେ ଓଭରଟେକ୍‌ କରିଥିଲେ । କାର୍‌ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ  କରିଥିଲେ। ଏନେଇ ରାତିରେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। 

ଏହା ପରେ ଉଭୟଙ୍କୁ ପୋଲିସ ନିର୍ଯାତନା ଦେଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭି‌ଯୋଗ ହେବା  ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । 

ଏଥିସହ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ। ବର୍ତ୍ତମାନ ରାଜଧାନୀର ଭାରତପୁର ଥାନାର ଏହି କାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।  ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତା ଉପରେ ଆକ୍ରମଣ କରିବା ଘଟଣାରେ ୭ ଜଣ ଯୁବକଙ୍କୁ ଚନ୍ଦକା ପୋଲିସ ଶନିବାର  ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିସହ ଗୋଟିଏ ଗାଡି ଓ ୧୧ଟି ମୋବାଇଲ ଫୋନକୁ ପୋଲିସ  ସେମାନଙ୍କ ଠାରୁ ଜବତ କରିଥିଲା



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.