ବାଲେଶ୍ବର ୧୮।୬: ବାଲେଶ୍ୱରରେ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଅପିଲ କରିଛି । ବାଲେଶ୍ୱରରେ ଦୁଇ ସମ୍ପ୍ରଦାୟ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଉଗ୍ର ରୂପ ନେଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଏହି ସମୟରେ ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବାଲେଶ୍ୱରବାସୀଙ୍କୁ ଏସପି ସାଗରିକା ନାଥ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଇଦ୍-ଉଲ୍-ଜୁହା ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସୋମବାର ସକାଳେ ଦରଘା ପଡ଼ିଆରେ ନମାଜ ପାଠ କରିଥିଲେ । ସମସ୍ତେ ପୂର୍ବ ପୁରୁଷମାନଙ୍କୁ ମନେ ପକେଇବା ଉଦ୍ଦେଶ୍ୟରେ ଦରଘା ମଇଦାନ ସ୍ଥିତ କଦମ୍ ରସୁଲ କବର ସ୍ଥାନରେ ପହଞ୍ଚି ଆଶୀର୍ବାଦ ନେଇଥିଲେ । ପରେ ପରସ୍ପରକୁ ଇଦ୍-ଉଲ୍-ଜୁହା ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ସୁନହଟ୍ ସ୍ଥିତ ଏକ ଡ୍ରେନ୍ରେ ଲାଲ ରଙ୍ଗର କୌଣସି ଦ୍ରବ୍ୟ ପଡ଼ିଥିବା ଦେଖି ଅନ୍ୟ ଏକ ଗୋଷ୍ଠୀର ଲୋକେ ତାତିଥିଲେ । ସେମାନେ ଏହାକୁ ରକ୍ତ ବୋଲି ଦାବି କରିଥିଲେ । ଏହାକୁ ଗୋଟିଏ ଗୋଷ୍ଠୀ ଗୋ-ରକ୍ତ ଦାବି କରି ଉତ୍କ୍ଷିପ୍ତ ହୋଇପଡ଼ିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ଅସ୍ୱୀକାର କରିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଢେଲା ପଥର ମାଡ଼ କରିଥିଲେ । ପରେ ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା-ଚାନ୍ଦିପୁର ରାସ୍ତା ଅବରୋଧ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀ ପୁଣି ଟେକା ପଥର ମାଡ଼ ସାଙ୍ଗକୁ ରାସ୍ତା ପାଶ୍ୱର୍ରେ ଥିବା କେତେକ ବାଇକ୍ ଓ ଚାରିଚକିଆ ଯାନକୁ ଭଙ୍ଗାରୁଜା କରିଥିଲେ ।
You Can Read :
କିଏ ବିଜେଡିର ବିରୋଧୀ ଦଳ ନେତା ହେବ ଦଳ ସଭାପତି ଚିନ୍ତା କରିବେ : ବଦ୍ରି ପାତ୍ର