ମୁମ୍ବାଇ ୩୦/୧୧: ଆସନ୍ତା ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ । ରିଲିଜ୍ ପୂର୍ବରୁ ଫିଲ୍ମର ଷ୍ଟାର୍ କାଷ୍ଟ୍ ମୁମ୍ବାଇ ପହଞ୍ଚିଛନ୍ତି । ଜେଡବ୍ଲ୍ୟୁ ମାରିଅଟ୍ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ନଜର ଆସିଥିଲେ ପୁଷ୍ପା ଓରଫ୍ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଟି-ସିରିଜ୍ ମାଲିକ ଭୂଷଣ କୁମାର ।
ଏ ଅବସରରେ ଅଲ୍ଲୁ କହିଲେ ‘ଯଦି ମୁଁ ନିଜ କ୍ୟାରିଅରକୁ ଦେଖିବି ତେବେ ସେହି ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବି ଯିଏ ମୋ ଜୀବନ ଉପରେ ସର୍ବାଧିକ ପ୍ରଭାବ ପକାଇଛନ୍ତି । ସେ ହେଉଛନ୍ତି ସୁକୁମାର । ‘ପୁଷ୍ପା-୨’ ପ୍ରମୋଶନ୍ରେ ଅଲ୍ଲୁ-ରଶ୍ମିକା ମୁମ୍ବାଇରେ ପହଞ୍ଚିବା ପରେ ଢୋଲ-ମୃଦଙ୍ଗର ତାଳେ ତାଳେ ଗୀତ ଓ ନୃତ୍ୟ ସହିତ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ‘ପୁଷ୍ପା: ଦ ରୁଲ୍’ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ଼, ବଙ୍ଗଳା ଓ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ ।
ଏହା ପ୍ରଥମ ପାନ୍ ଇଣ୍ଡିଆ ଫିଲ୍ମ, ଯାହା ପ୍ରଥମ ଥର ବଙ୍ଗଳାରେ ରିଲିଜ୍ ହେବ । ୫୦୦ କୋଟିର ମେଗା ବଜେଟ୍ରେ ନିର୍ମିତ ଏହି ଫିଲ୍ମର ନିର୍ମାତା ଏହାର ଅଲଗା ଅଲଗା କ୍ଲାଇମାକ୍ସ ସିନ୍ ସୁଟ୍ କରିଛନ୍ତି । ସିନ୍ ଲିକ୍ ହେବା ଭୟରେ ଏ ପରି କରାଯାଇଛି । କେଉଁ କ୍ଲାଇମାକ୍ସ ସେମାନେ ଚୂଡ଼ାନ୍ତ କରିବେ, ତାହା ସେଟ୍ରେ କାହାକୁ ଜଣାନାହିଁ ।
ସେପଟେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସେନ୍ସର ବୋର୍ଡ 'ପୁଷ୍ପା ୨'ର ନିର୍ମାତାଙ୍କୁ ଫିଲ୍ମରେ କିଛି ପରିବର୍ତ୍ତନ କରିବାକୁ କହିଛି । ରିଲିଜ୍ ପୂର୍ବରୁ କିଛି ଦୃଶ୍ୟ ଏବଂ ଭିଜୁଆଲ୍ କଟାଯାଇଛି । ଏହା ବ୍ୟତୀତ ବୋର୍ଡ ଆହୁରି ତିନୋଟି କ୍ରମରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି ଯେଉଁଥିରେ ଅପମାନଜନକ ଭାଷା, ବିଶେଷକରି ମହିଳା ଚରିତ୍ର ବିରୁଦ୍ଧରେ ଅପମାନିତ ଶବ୍ଦ ଅନ୍ତର୍ଭୁକ୍ତ ।