କଂଗ୍ରେସର ୭୦ରୁ ୬୭ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଦିଲ୍ଲୀ ନିର୍ବାଚନରେ କେବଳ ୩ ଜଣ ବଞ୍ଚାଇଲେ ଇଜ୍ଜତ

Published By : Prameya-News7 Bureau | February 08, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଅବସ୍ଥା ଅତି ଶୋଚନୀୟ ହୋଇଛି । କଂଗ୍ରେସର ୭୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୭ ଜଣ ଅମାନତ ହରାଇଛନ୍ତି । ଏହାସହ ଲଗାତାର ତୃତୀୟ ଥର ପାଇଁ ୭୦ ଆସନ ବିଶିଷ୍ଟ ବିଧାନସଭାରେ ନିଜ ଖାତା ଖୋଳିବାରେ ବିଫଳ ହୋଇଛି । ତେବେ କଂଗ୍ରେସର ଭୋଟ୍ ସେୟାରରେ ୨.୧ ପ୍ରତିଶତର ସାମାନ୍ୟ ସୁଧାର ହୋଇଛି । ଅନ୍ୟପଟେ ଦଳର ସବୁ ପ୍ରମୁଖ ନେତା ଶୋଚନୀୟ ପରାସ୍ତ ହୋଇଛନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି ଯେ ଦଳ ପୁଣି ଥରେ ଲୋକଙ୍କ ବିଶ୍ୱାସ ଜିତିବ ଏବଂ ୨୦୩୦ରେ ସରକାର ଗଠନ କରିବ ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି ଥରେ ସଫା ହୋଇଛି । ପାର୍ଟିର ପ୍ରାୟ ସବୁ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଛି । କଂଗ୍ରେସର କେବଳ ତିନି ପ୍ରାର୍ଥୀ ନିଜର ଅମାନତ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଏଥିରେ କସ୍ତୁରବା ନଗରରୁ ଅଭିଷେକ ଦତ୍ତ ଦ୍ୱିତୀୟ ସ୍ଥାନରେ ରହିବାରେ ଏକମାତ୍ର କଂଗ୍ରେସୀ ନେତା । ଏହି ଲିଷ୍ଟରେ ନାଙ୍ଗଲୋଇ ଜାଟରୁ ରୋହିତ୍ ଚୌଧୁରୀ ଏବଂ ବାଦଲିରୁ ଦେବେନ୍ଦ୍ର ଯାଦବ ସାମିଲ ଅଛନ୍ତି । ଅଧିକାଂଶ କଂଗ୍ରେସ ପ୍ରାର୍ଥୀ ବିଜେପି କିମ୍ୱା ଆପ୍ ପରେ ତୃତୀୟ ସ୍ଥାନରେ ରହିଛନ୍ତି । କିଛି ଆସନରେ କଂଗ୍ରେସ ପ୍ରାର୍ଥୀ ଏଆଇଏମ୍‌ଆଇଏମ୍ ପ୍ରାର୍ଥୀଙ୍କଠାରୁ ବି ପଛରେ ରହିଛନ୍ତି । ଏଥିରେ ମୁସଲିମ୍ କ୍ଷେତ୍ର ସାମିଲ ରହିଛି ।

ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ନିଜେ ବାଲଦି ଆସନରେ ତୃତୀୟ ସ୍ଥାନରେ ରହିଛନ୍ତି । ମହିଳା କଂଗ୍ରେସ ଅଧ୍ୟକ୍ଷ ଅଲକା ଲାମ୍ୱା କାଲକାଜି ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ପୂର୍ବତନ ମନ୍ତ୍ରୀ ୟୁସୁଫ ବଲ୍ଲିମାରାନ ତୃତୀୟ ସ୍ଥାନରେ ରହିଛନ୍ତି । ୧୯୯୩ରୁ ୨୦୧୩ ମଧ୍ୟରେ ୟୁସୁଫ ଏହି ଆସନକୁ ପାଞ୍ଚ ଥର ପ୍ରତିନିଧିତ୍ୱ କରିଥିଲେ ।

ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ସେୟାରରେ ୨.୧ ପ୍ରତିଶତ ସୁଧାର ହୋଇଛି, କିନ୍ତୁ ଏହି ଭୋଟ୍ ସେୟାର ଆସନରେ ପରିବର୍ତ୍ତନ ହୋଇପାରି ନାହିଁ । ଦଳକୁ ୨୦୨୦ ବିଧାନସଭା ନିର୍ବାଚନରେ ୪.୩ ପ୍ରତିଶତ ତୁଳନାରେ ୨୦୨୫ ନିର୍ବାଚନରେ ୬.୩୯ ପ୍ରତିଶତ ଭୋଟ୍ ମିଳିଛି । ୨୦୦୮ ନିର୍ବାଚନରେ କଂଗ୍ରେସର ଭୋଟ୍ ସେୟାର ୪୦.୩୧ ପ୍ରତିଶତ (ଶେଷ ଥର ପାଇଁ କଂଗ୍ରେସ ଯେତେବେଳେ ସରକାର କରିଥିଲା) ଥିଲା । ୨୦୧୩ ନିର୍ବାଚନରେ ଏହା ଖସି ୨୪.୫୫ ପ୍ରତିଶତ ହୋଇଥିଲା, ୨୦୧୫ରେ ୯.୭ ପ୍ରତିଶତ ଏବଂ ୨୦୨୦ରେ ୪.୩ ପ୍ରତିଶତ ପହଞ୍ଚିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.