ନୂଆଦିଲ୍ଲୀ: ଭାରତରେ ଚିନ୍ତା ବଢ଼ାଇଲାଣି ଦୁର୍ଘଟଣା ଜନିତ ମୃତ୍ୟୁ। ସ୍ଥିତି ଏମିତି ହେଉଛି ଯେ ଅନ୍ତର୍ଜାତୀୟ ସ୍ତରରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁହଁ ଲୁଚାଇବାକୁ ପଡ଼ୁଛି। ଉତ୍ତର ପ୍ରଦେଶ ମହାରାଷ୍ଟ୍ର ଓ ତାମିଲନାଡୁ ସଡ଼କ ଦୁର୍ଘଟଣା ହଟ୍ସ୍ପଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୫ ବର୍ଷରେ ଏହି ୩ ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟିଛି।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନିଆଯାଇଥିବା ତଥ୍ୟ ଅନୁସାରେ, ୨୦୧୮ରୁ ୨୦୨୨ ମଧ୍ୟରେ ସାରା ଦେଶରେ ସଡ଼କ ଦୁର୍ଘଟଣା ଯୋଗୁ ୭.୭୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ୨୦୨୨ରେ ମୋଟ ମୃତ୍ୟୁ ୧,୬୮,୪୯୧ ରହିଥିଲା। ଯାହା ୨୦୨୧ରେ ୧,୫୩,୯୭୨ ଥିଲା। ମାନେ ବର୍ଷକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୪୫୨୦ ବଢ଼ିଛି। ବୁଧବାର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ 'ଭାରତରେ ସଡ଼କ ଦୁର୍ଘଟଣା,୨୦୨୨'ରେ ଏହି ତଥ୍ୟ ସାମ୍ନାକୁ ଆସିଛି।
୨୦୨୨ରେ କେବଳ ଉତ୍ତରପ୍ରଦେଶରେ ସର୍ବାଧିକ ୨୨୫୯୫ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ତା’ ପଛକୁ ତାମିଲନାଡୁରେ ୧୭,୮୮୪ ମୃତ୍ୟୁ ଓ ମହାରାଷ୍ଟ୍ରରେ ୧୫,୨୨୪ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶର ମୋଟ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାରେ ବଡ଼ ଅଂଶ ଏହି ୩ ରାଜ୍ୟରୁ ଘଟିଛି। କେବଳ ସ୍ପିଡ୍ ଡ୍ରାଇଭିଂ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଲାଇବା ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ହୋଇଛି।
ଏହିସବୁ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଅଧିକ(୨୦୧୮-୨୦୨୨)
୧.ଉତ୍ତରପ୍ରଦେଶ - ୧,୦୮,୮୮୨ ମୃତ୍ୟୁ
୨. ତାମିଲନାଡୁ - ୮୪,୩୧୬ ମୃତ୍ୟୁ
୩. ମହାରାଷ୍ଟ୍ର - ୬୬,୩୭୦ ମୃତ୍ୟୁ
୪. ମଧ୍ୟପ୍ରଦେଶ - ୫୮,୫୮୦ ମୃତ୍ୟୁ
୫. କର୍ଣ୍ଣାଟକ - ୫୩,୪୪୮ ମୃତ୍ୟୁ
୬. ରାଜସ୍ଥାନ - ୫୧,୨୮୦ ମୃତ୍ୟୁ
୭. ଆନ୍ଧ୍ରପ୍ରଦେଶ - ୩୯,୦୫୮ ମୃତ୍ୟୁ
୮. ବିହାର -୩୬,୧୯୧ ମୃତ୍ୟୁ
୯. ତେଲେଙ୍ଗାନା - ୩୫,୫୬୫ ମୃତ୍ୟୁ
୧୦. ଗୁଜୁରାଟ - ୩୬,୬୨୬ ମୃତ୍ୟୁ
ଦେଶରେ ସଡ଼କ ଦୁର୍ଘଟଣା ଜନିତ ଏଭଳି ସ୍ଥିତି ନେଇ ଗୁରୁବାର ସଂସଦରେ ବକ୍ତବ୍ୟ ରଖିଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କହିଥିଲେ ଯେ ଅନ୍ତର୍ଜାତୀୟ ସ୍ତରରେ ସଡ଼କ ଦୁର୍ଘଟଣ ଜନିତ ସମ୍ମିଳନୀ ହେଲେ ମୁଁ ମୁହଁ ଲୁଚାଏ। ସେ ମାନିଥିଲେ ଯେ ସରକାର ୨୦୨୪ ଶେଷ ସୁଦ୍ଧା ସଡ଼କ ଦୁର୍ଘଟଣା ୫୦ ପ୍ରତିଶତ କମ୍ କରିବାକୁ ଟାର୍ଗେଟ୍ ରଖିଥିଲେ। ହେଲେ କମ ହେବା ବଦଳରେ ବଢ଼ି ଚାଲିଲା। ମାନବୀୟ ଆଚରଣ ବଦଳିବା ଦରକାର।
ସାମାଜିକ ମାନଦଣ୍ଡରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ଗଡ଼କରୀ କହିଥିଲେ। ସଡ଼କ ସୁରକ୍ଷା ପାଇଁ ହୋଇଥିବା ନିୟମକୁ ସମ୍ମାନ ଦେବା ଉଚିତ ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ଦୁର୍ଘଟଣା ରୋକିବାରେ ଫେଲ୍ ମାରିଛି। ମୁଁ ଏହା ସ୍ୱୀକାର କରୁଛି ବୋଲି ଗଡ଼କରୀ କହିଛନ୍ତି। ବହୁତ ଚେଷ୍ଟା ସତ୍ତ୍ୱେ ଏହା ହୋଇପାରୁନି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ତଥ୍ୟ ଦେଇ କହିଛନ୍ତି ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଶିକ୍ଷା, ଇଞ୍ଜିନିୟରିଂଏବ ଏମାର୍ଜେନ୍ସି କେୟାର ଉପରେ ଧ୍ୟାନ ଦେଇ ଅନେକ ପଦକ୍ଷେପ ଗ୍ରହଣ କରିଛି। ୨୦୧୯ର ମୋଟର ଯାନ (ସଂଶୋଧନ) ଅଧିନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ଏବଂ ଟ୍ରାଫିକ ଉଲ୍ଲଂଘନକୁ ରୋକିବା ପାଇଁ ଇ-ଚାଲାଣ ପରି ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ୨୦୨୦ ଠାରୁ ୨୩ କୋଟିରୁ ଅଧିକ ଇ-ଚାଲାଣ, ଯେଉଁଥିରେ ୩୬,୭୦୦ କୋଟିରୁ ଅଧିକ ଅଟେ ବୋଲି ନୀତୀନ ଗଡ଼କରି କହିଥିଲେ।