ବାଂଲାଦେଶର ଦାବିକୁ ଅଗ୍ରାହ୍ୟ କଲା ICC, ଏବେ BCB ପାଖରେ କେବଳ ଦୁଇଟି ବିକଳ୍ପ, ୨୦୨୬ ବିଶ୍ଵକପରେ ଆସିଲା ନୂଆ ମୋଡ଼

NEWS7
a-man-lost-his-life-in-train-line-of-kendrapada

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପକୁ ଆଉ ମାସେରୁ କମ ସମୟ ବାକି ରହିଛି। ହେଲେ ଏ ପର୍ଯ୍ୟନ୍ତ ବାଂଲାଦେଶ ପ୍ରସଙ୍ଗର ସମାଧାନ ହୋଇ ପାରି ନାହିଁ। ଆଇପିଏଲରୁ ବାଂଲଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି) ଭାରତରେ ଟି-୨୦ ବିଶ୍ଵକପ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ଭାରତରେ ଖେଳାଯିବାକୁ ଥିବା ମ୍ୟାଚ୍ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆଇସିସି ନିକଟରେ ଦାବି କରିଥିଲା। ଏହାର ପଛରେ ସୁରକ୍ଷା କାରଣ ଦର୍ଶାଇଥିଲା ବିସିବି। ଏବେ ଆଇସିସି ବାଂଲାଦେଶର ଦାବିକୁ ଅଗ୍ରାହ୍ୟ କରି କହିଛି ଯେ, ଭାରତରେ ସୁରକ୍ଷାର କୌଣସି ବିପଦ ନାହିଁ। ଏଥିରୁ ସ୍ପଷ୍ଟ ଯେ ଆଇସିସି ବାଂଲାଦେଶର ମ୍ୟାଚ୍ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ନୁହେଁ।

ଆଇସିସି ନିଜ ରିପୋର୍ଟରେ କହିଛି ଯେ, ଭାରତରେ ସୁରକ୍ଷା ନେଇ ସେମିତି କୌଣସି କାରଣ ବି ନାହିଁ। ବାଂଲାଦେଶ ପ୍ରତି ଭାରତରେ ସେମିତି କୌଣସି ବିପଦ ନାହିଁ। ଏହା ଯେ କୌଣସି ମ୍ୟାଚ୍ର ଆୟୋଜନ ପାଇଁ ସ୍ଵାଭାବିକ ଏବଂ ପରିବେଶ ଅନୁକୂଳ ସ୍ଥାନ ଅଟେ। ତେବେ ଆଇସିସି କୌଣସି ଆନୁଷ୍ଠାନିକ ବୟାନ ଜାରି କରି ନାହିଁ। ଅନ୍ୟପଟେ ୨୦୨୬ ଟି-୨୦ ବିଶ୍ଵକପ୍ ଫେବୃଆରୀ ୭ରେ ଆରମ୍ଭ ହେବାକୁ ଯାଉଛି।

ନିଜ ଜିଦରେ ଅଟଳ ବାଂଲାଦେଶ କ୍ରିକେଟ୍ ବୋର୍ଡ

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ବିସିବି ଓ ଆଇସିସି ଭିଡିଓ କନଫରେନ୍ସରେ ଟି-୨୦ ବିଶ୍ଵକପ୍ ୨୦୨୬କୁ ନେଇ ଆଲୋଚନା କରିଛନ୍ତି। ହେଲେ ବିସିବି ନିଜ ଜିଦରେ ଅଟଳ ରହିଛି। ଏହି ଆଲୋଚନା ସମୟରେ ବିସିବି ନିଜର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଭାରତରୁ ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି।

ବିସିବି ତରଫରୁ ଅଧ୍ୟକ୍ଷ ମହମ୍ମଦ ଅମୀନୁଲ ଇସଲାମ, ଉପାଧ୍ୟକ୍ଷ ମହମ୍ମଦ ଶକବତ ହୁସେନ ଓ ଫାରୁକ ଅହମ୍ମଦ, ନିର୍ଦ୍ଦେଶକ ତଥା କ୍ରିକେଟ୍ ପରିଚାଳନା କମିଟିର ଅଧ୍ୟକ୍ଷ ନଜମୁଲ ଆବେଦୀନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିଜାମୁଦ୍ଦୀନ ଚୌଧୁରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିସିବି ପୁଣି ଥରେ ନିଜର ଅନୁରୋଧ ପଛରେ ସୁରକ୍ଷା ସମ୍ବନ୍ଧିତ ଚିନ୍ତାର କାରଣ ଦର୍ଶାଇଛି।

ଏହାର ଜବାବରେ ଆଇସିସି କହିଛି ଯେ, ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂସଚୀ ପୂର୍ବ ନିର୍ଦ୍ଧାରିତ ହିସାବରେ ଖେଳାଯିବ। ଏହା ସହ ଆାଇସିସି ବିସିବିକୁ ନିଜର ଆଭିମୁଖ୍ୟ ଉପରେ ପୁନଃବିଚାର କରିବାକୁ ଅନୁରୋଧ କରିଛି। ହେଲେ ବିସିବିର ଅଧିକାରୀଙ୍କ ପ୍ରେସ ବିବୃତି ଅନୁସାରେ, ବାଂଲାଦେଶ କ୍ରିକେଟ୍ ବୋର୍ଡର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନି। ଆଇସିସି ସହ ନିଜର ଅନୁରୋଧ ଉପରେ ଆଲୋଚନା ଜାରି ରହିଛି।

ଏବେ ବାଂଲାଦେଶ ପାଖରେ ୨ଟି ବିକଳ୍ପ

ଏ ପର୍ଯ୍ୟନ୍ତ ମାମଲାରେ ସ୍ପଷ୍ଟ ଯେ, ଆଇସିସି ବାଂଲାଦେଶର ଦାବିକୁ ସ୍ଵୀକାର କରିବ ନାହିଁ। ଏହା ପଛର କାରଣ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ଅଧିକ ସମୟ ନାହିଁ। ଏହା ସହିତ ହୋଟେଲ୍ ବୁକିଂ, ଖେଳାଳି ଓ ସପୋର୍ଟିଂ ଷ୍ଟାପଙ୍କ ଭିସା ଏବଂ ବାକି ସମସ୍ତ ଜରୁରୀ କାମ ପୂର୍ବରୁ ହୋଇ ସାରିଛି। ଏବେ ଅଚାନକ ଏଥିରେ ପରିବର୍ତ୍ତନ ଅସମ୍ଭବ ଲାଗୁଛି। ଏମିତିରେ ବାଂଲାଦେଶ ପାଖରେ କେବଳ ଦୁଇଟି ବିକଳ୍ପ ରହିଛି। ପ୍ରଥମ ବାଂଲାଦେଶ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଟୁର୍ଣ୍ଣାମେଣ୍ଟ ଖେଳୁ, ନଚେତ୍ ନିଜେ ବାହାରି ଯାଉ।

ଯଦି ବାଂଲାଦେଶ ଖେଳିବ ନାହିଁ ଏବଂ ଟୁର୍ଣ୍ଣାମେଣ୍ଟରୁ ନାଁ ଫେରାଇ ନିଏ ତେବେ ଆଇସିସି ବାଂଲାଦେଶ ସ୍ଥାନରେ କୌଣସି ଅନ୍ୟ ଦଳକୁ ଖେଳାଇପାରେ। ହେଲେ ଏସବୁ ଏତେ କମ ସମୟରେ  ହେବା ସହଜ ନୁହେଁ। ଏମିତି ସ୍ଥିତିରେ ଆଇସିସି ବାଂଲାଦେଶକୁ ନିଜ ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିବ। ଯଦି ବାଂଲାଦେଶ ବଦଳରେ ଅନ୍ୟ କୌଣସି ଦଳ ଆସେ ତେବେ ଏହାସ୍କଟଲାଣ୍ଡ ହୋଇପାରେ।