ଜଳିଗଲା ଚଳନ୍ତା CNG ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | February 27, 2025 IST

ସାରୋଲୀ ୨୭।୨: ସୁରଟର ସାରୋଲୀ ଅଞ୍ଚଳରେ ଗୁରୁବାର ଏକ ଚଳନ୍ତା ସିଏନଜି ବସ୍‌ ରେ ନିଆଁ ଲାଗିଯାଇଛି। ତେବେ ଯାତ୍ରୀ ଠିକ୍ ସମୟରେ ବସ୍‌ ରୁ ଓହ୍ଲାଇଯାଇଛନ୍ତି। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ଏହି ବସ୍ ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ଭଡିଓରେ ବସଟି ହୁତହୁତ ହୋଇ ଜଳୁଥିବା ଦେଖାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବସ୍ ଚାଲୁଥିବା ବେଳେ ଧୂଆଁରେ ଭରିଯାଇଥିଲା। 

ଚାଳକ ବସ୍ କୁ ଅଟକାଇଦେବା ମାତ୍ରେ ଲୋକେ ଓହ୍ଲାଇଯାଇଥିଲେ ଓ ତାହା ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଦମକଳ ବିଭାଗକୁ ଅଗ୍ନିକାଣ୍ଡ ନେଇ ସୂଚନା ଦେଇଥିଲେ। ଖବର ମିଳିବାମାତ୍ରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ବସ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ବସ ହୁତହୁତ ହୋଇ ଜଳୁଥିବା ବେଳେ ରାସ୍ତାରେ ଚାଲୁଥିବା ଅନ୍ୟ ଯାନବାହନ ଅଟକି ଯାଇଥିଲେ। ବସ୍ ରେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ପ୍ରାରମ୍ଭିକ ଯାଞ୍ଚରେ ସିଏନଜି ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। 

ଅଗ୍ନିସମ ବିଭାଗ ଅଧିକାରୀ କହିଛନ୍ତି ଯେ ବସ୍ ରେ ନିଆଁ ଲାଗିବାର କାରଣ ଏବେ ଯାଞ୍ଚ କରାଯାଉଛି। ଏହି ଦୁର୍ଘଟଣାରେ କେହି ହତାହତ ହୋଇନଥିବାର ଅଧିକାରୀ କହିଛନ୍ତି। ତେବେ ଏହି ବସ୍ ଅଗ୍ନିକାଣ୍ଡ ସାର୍ବଜନିକ ପରିବହନରେ ସୁରକ୍ଷା ଗାଇଡଲାଇନ କଡ଼ାକଡ଼ି ପାଲନ ହେବା ଦରକାର ବୋଲି ଏକ ଚେତାବନୀ ବୋଲି କୁହାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.