ଆନନ୍ଦପୁର ୧୮।୦୫ : ସାଙ୍ଗ ହେବ ତ ଏମିତି । ସାଙ୍ଗର ଜୀବନ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ସାଙ୍ଗ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବଡପଦନା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ ଗାଁର ୩ ସାଙ୍ଗ ଶୁଭମ ସାହୁ, ମାନସ ସାହୁ ଓ କାଳନ୍ଦୀ ସାହୁ ଗାଁ ପାଖ ଅନ୍ଧାରୀ ଛକରେ ଥିବା ଏକ ଫାଷ୍ଟଫୁଡ୍ ସେଣ୍ଟରକୁ ଜଳଖିଆ ଖାଇବାକୁ ଯାଇଥିଲେ। ସେମାନେ ଫାଷ୍ଟଫୁଡ୍ ସେଣ୍ଟର ଛାତ ଉପରେ ବସି ଖାଉଥିବା ବେଳେ, ଛାତଉପରେ ଯାଇଥିବା ୧୧କେଭି ବିଦ୍ଯୁତ୍ ତାର ସଂସ୍ପର୍ଶରେ ପ୍ରଥମେ ଆସିଯାଇଥିଲେ ମାନସ । ବିଦ୍ଯୁତ୍ ଆଘାତ ପାଇ ଚିତ୍କାର କରୁଥିବା ମାନସଙ୍କୁ ବଞ୍ଚାଇବାକୁ ଉଦ୍ଯମ କରିଥିଲେ ଶୁଭମ । ମାନସ ତ ବଞ୍ଚି ଯାଇଥିଲେ, କିନ୍ତୁ ଶୁଭମ ବିଦ୍ଯୁତ୍ ଆଘାତରେ ଅଚେତ ହୋଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।