କାଲିଫର୍ଣ୍ଣିୟା ଜଙ୍ଗଲ ନିଆଁରେ ସ୍ୱାହା ହୋଇଗଲା ABC ରିପୋର୍ଟରଙ୍କ ସ୍ୱପ୍ନର ଘର, ଇଂଷ୍ଟାରେ ବଖାଣିଲେ ଦୁଃଖ

Published By : Prameya-News7 Bureau | January 12, 2025 IST

କାଲିଫର୍ଣ୍ଣିୟା ୧୨।୧: ଲସଏଞ୍ଜେଲସ୍ ଜଙ୍ଗଲ ନିଆଁ ଅନେକ ଲୋକଙ୍କ ସ୍ୱପ୍ନ ଉଜାଡି ଦେଇଛି। ଏହି ବନାଗ୍ନିରେ ୧୦ ହଜାରରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି। ଲୋକଙ୍କ ଆଖି ସାମ୍ନାରେ ସେମାନଙ୍କ ସ୍ୱପ୍ନର ଦୁନିଆ ଉଜୁଡି ଯାଇଥିବା ବେଳେ ସେମାନେ କିଛି ବି କରିପାରି ନାହାନ୍ତି। ଏପରି ପୀଡ଼ିତଙ୍କ ମଧ୍ୟରେ ଅଛନ୍ତି ଏବିସି ରିପୋର୍ଟର ଜୋହରିନ ଶାହ। ଏହି ଜଙ୍ଗଲ ନିଆଁ ଆଖି ସାମ୍ନାରେ ତାଙ୍କ ସ୍ୱର୍ଗଭଳି ଘରକୁ ମାଟିରେ ମିସେଇ ଦେଇଛି। ସେ ତାଙ୍କର ଯନ୍ତ୍ରଣା ଇଂଷ୍ଟାଗ୍ରାମରେ ବୟାନ କରିଛନ୍ତି। 

ସେ ଲେଖିଛନ୍ତି ‘ଆମେ ନୂଆ ଘରକୁ ଗତ ସପ୍ତାହରେ ସିଫ୍ଟ ହେବା ଆରମ୍ଭ କରିଥିଲୁ। ଆମେ ସେଠାରେ ମାତ୍ର ଗୋଟିଏ ରାତି ବିତାଇଥିଲୁ, ମାତ୍ର ଦିନଟିଏ। ଘର ଆମ ପାଇଁ ପୁରା ପରଫେକ୍ଟ ଥିଲା। ଆମେ ଭାବିଥିଲୁ ଏହି ଘରେ ଆମ ଜୀବନ ବିତିଯିବ। ହରିଣମାନେ ଆମ ଘର ପାଖକୁ ଆସୁଥିଲେ ପକ୍ଷୀଙ୍କ କିଚିରିମିଚିରିରେ ପେସିଫିକ କୋଷ୍ଟ ହାଇୱେରୁ ମାତ୍ର ୫ ମିନିଟ୍ ଡ୍ରାଇଭରେ ଥିବା ଆମ ଘର କୌଣସି ଟ୍ରପିକାଲ ଆଇଲ୍ୟାଣ୍ଡ ଭଳି ଲାଗୁଥିଲା ଓ ସମୁଦ୍ରର ଦୃଶ୍ୟ ଆମ ଘରୁ ବେଶ୍ ଉପଭୋଗ୍ୟ ଥିଲା। ’

ଜୋହରିନ ଲେଖିଛନ୍ତି ଆମେ ଏହି ଘରକୁ ଗତ ନଭେମ୍ବର ମାସରେ ଖୋଜି ପାଇଥିଲୁ। ଗତ କ୍ରିସମାସ ଇଭରେ ଆମେ ଘରକୁ କିଣିଥିଲୁ। ମୋ ଅଭିଭାବକଙ୍କର ନିଜର ଘରଟିଏ ନଥିଲା। ସବୁ ଲୋକଙ୍କ ଭଳି ମୁଁ ମଧ୍ୟ କାମ କଲି, ସଞ୍ଚୟ କଲି ଓ ତ୍ୟାଗ କଲି ଯାହା ମୋ ବାପ ମାଙ୍କର ନଥିଲା ମୁଁ ଯେପରି ତାହା ହାସଲ କରିପାରେ।  ଏଥି ପାଇଁ ଅଧିକାଂଶ ସମୟ ଆମେ ବାହାରେ ଖାଉନଥିଲୁ। ମୁଁ ଘରେ ହତାରେ ରୋଷେଇ କରେ। ଆମର ପିଲାପିଲି ନାହାନ୍ତି, ଆମେ ରୋମାଞ୍ଚ ପାଇଁ କେବେ ଯାତ୍ରା ବି କରିନୁ। ଏଣୁ ବର୍ଷକରେ ଘର କିଣିବା ପାଇଁ ଡାଉନ ପେମେଣ୍ଟ ୨୦ ପ୍ରତିଶତରୁ ଅଧିକ ସଞ୍ଚୟ କରିପାରିଥିଲି। 

ସେ ଲେଖିଛନ୍ତି ଏହି ଘର କିଣିବା ପରେ ମୁଁ ନିଜକୁ ଖୁବ୍ ଗର୍ବିତ ମନେ କରୁଥିଲି। ବର୍ଷବର୍ଷର ପରିଶ୍ରମ ଓ ସଞ୍ଚୟରେ ଯାହା ମୁଁ ପାଇଥିଲି ତାହା ଏମିତିରେ ଆମ ଆଖି ଆଗରେ ଚାଲିଗଲା। ସାଙ୍ଗସାଥୀ କହୁଛନ୍ତି -ଏବେ ଆମେ ଏହାକୁ ନିଜ ପସନ୍ଦ ଅନୁସାରେ ପୁଣି ତିଆରି କରିପାରିବା। ତେବେ ମୋ ପାଇଁ ପ୍ରଥମରୁ ହିଁ ଘର ପରଫେକ୍ଟ ଥିଲା। ମୁଁ ବିଶ୍ୱାସର ସହ କହୁଛି ମୁଁ ମୋ ସ୍ୱାମୀଙ୍କ ସହିତ ମିସି ଏହାକୁ ପୁଣି ଥରେ ନିର୍ମାଣ କରିବାକୁ ଆଗ୍ରହୀ, ହେଲେ ଆମେ ସେତିକି ଦୁଃଖି ମଧ୍ୟ। 

କହିଛନ୍ତି ବାସ୍ତବିକ ମୁଁ ବହୁତ ଭାଗ୍ୟଶାଳୀ ଯେ ଆମେ ଘରେ ଏପରି କୌଣସି ସାମଗ୍ରୀ ରଖି ନଥିଲୁ ଯାହା ସହିତ ଆମ ଭାବନା ଯୋଡି ହୋଇ ଥିଲା। ହେଲେ ବି ଘଟଣା ପରେ ସେ ନିଜକୁ ଭୟଭୀତ ମନେ କରୁଥିବା ଉଲ୍ଲେଖ କରିଛନ୍ତି। ଏଥି ପାଇଁ ସେ କିଛି ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏବିସି ରିପୋର୍ଟର ଜୋହରିନ ଶାହ ତାଙ୍କ କଥାକୁ ଆଗକୁ ବଢାଇ କିଛି ପ୍ରଶ୍ନ ଓ ଦାବି ମଧ୍ୟ ଲୋକଙ୍କ ଆଗରେ ରଖିଛନ୍ତି। ସେ କହିଛନ୍ତି ଯେ ଜଙ୍ଗଲ ନିଆଁରେ ଯେଉଁମାନେ ସବୁକିଛି ହରାଇଛନ୍ତି ସେମାନଙ୍କୁ ପୁଣି ଥରେ ବସାଇବାର ପ୍ରକ୍ରିୟା ଯେପରି ଦୀର୍ଘ ନ ହୁଏ। ଏଣୁ ବୀମା କମ୍ପାନୀମାନେ ପଲିସି ଧାରକଙ୍କୁ ସେମାନଙ୍କ ହକ୍ ଯଥା ଶୀଘ୍ର ଦେଇ ଦେବା ଦରକାର। 

ସେ ଲେଖିଛନ୍ତି ଯେ ଲସଏଞ୍ଜେଲସକୁ ପୁଣି ଥରେ ବସେଇବା ପାଇଁ ପରମିଟ କାର୍ଯ୍ୟାଳୟଙ୍କ ଲାଗି ଅଧିକ କର୍ମଚାରୀଙ୍କ ଆବଶ୍ୟକତା ପଡିପାରେ। ୨୦୨୬ରେ ଗଭର୍ଣ୍ଣର ନିର୍ବାଚନ, ୨୦୨୮ରେ ରାଷ୍ଟ୍ରପତି ନିର୍ବାଚନ ଓ ଲସଏଞ୍ଜେଲସ୍ ଅଲିମ୍ପିକ ମଧ୍ୟ ଅନୁଷ୍ଠିତ ହେବାକୁ ଅଛି। ଏଣୁ ରାଜନେତାଙ୍କୁ ଦ୍ରୁତ ପରିଣାମ ଦେଖିବାକୁ ହେବ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.