ନୂଆଦିଲ୍ଲୀ ୨୧।୯: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (ଡିୟୁଏସୟୁ) ନିର୍ବାଚନ ଲାଗି ଇସ୍ତାହାର ଜାରି କରିଛି। ଏବିଭିପି କହିଛି ଯେ ଏହି ଘୋଷଣାପତ୍ରରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପରାମର୍ଶ ସାମିଲ କରାଯାଇଛି। ମନିଫେଷ୍ଟୋ ଜାରି ଅବସରରେ ଏବିଭିପିର ଜାତୀୟ ମହାମନ୍ତ୍ରୀ ୟାଜ୍ଞବଳକ୍ୟ ଶୁକ୍ଲା, ରାଷ୍ଟ୍ରୀୟ ମନ୍ତ୍ରୀ ଶିବାଙ୍ଗୀ ଖରୱାଲ, ଦିଲ୍ଲୀ ପ୍ରଦେଶ ମନ୍ତ୍ରୀ ହର୍ଷ ଅତ୍ରୀ, ଡିୟୁଏସୟୁ ଅଧ୍ୟକ୍ଷ ପଦ ପ୍ରାର୍ଥୀ ଋଷଭ ଚୌଧୁରୀ, ଉପାଧ୍ୟକ୍ଷ ପ୍ରାର୍ଥୀ ଭାନୁ ପ୍ରତାପ ସିଂହ, ସାଧାରଣ ସମ୍ପାଦକ ପ୍ରାର୍ଥୀ ମିତ୍ରବୃନ୍ଦା କର୍ଣ୍ଣୱାଲ ଓ ଯୁଗ୍ମ ସଚିବ ପ୍ରାର୍ଥୀ ଅମନ କପାସିଆ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ୟାଜ୍ଞବଳକ୍ୟ ଶୁକ୍ଳା କହିଛନ୍ତି ଯେ ବିଦ୍ୟାର୍ଥୀ ପରିଷଦର ନିର୍ବାଚନୀ ଘୋଷଣାପତ୍ର ଡିୟୁ ଛାତ୍ରଙ୍କ ବାସ୍ତବିକ ପ୍ରସଙ୍ଗକୁ ରେଖାଙ୍କିତ କରୁଛି। ଏବିଭିପି ଦ୍ୱାରା ଜାରି କରାଯାଇଥିବା ଘୋଷଣାପତ୍ରରେ ପିଜି ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ କୋର୍ସ ଏକ ଶୁଳ୍କ, ଇଣ୍ଟରନାଲ କମ୍ପ୍ଲିଆଣ୍ଟ କମିଟି ତଥା ପ୍ରତ୍ୟେକ କଲେଜରେ ଫଙ୍କସନାଲ ଜେଣ୍ଡର ସେନସିଟାଇଜେସନ ସେଲ, ସ୍ତ୍ରୀ ବିଷୟ ବିଶେଷଜ୍ଞ ତଥା ମନୋବୈଜ୍ଞାନିକ ପରାମର୍ଶଦାତା ଉପଲବ୍ଧ କରାଇବା ଆଦି ଅନେକ ବିଷୟ ପ୍ରାଥମିକତାର ସହ ସାମିଲ କରାଯାଇଛି।
ଏହି ଅବସରରେ ଏବିଭିପିର ଛାତ୍ର ସଂସଦ ଅଧ୍ୟକ୍ଷ ପ୍ରାର୍ଥୀ ଋଷଭ ଚୌଧୁରୀ କହିଛନ୍ତି ଯେ ଡିୟୁଏସୟୁ ସର୍ବଦା ଡିୟୁ ଷ୍ଟୁଡେଣ୍ଟଙ୍କ ଭରସା ହୋଇ ରହି ଆସିଛି। ଏଥର ପ୍ଲେସ୍ମେଣ୍ଟ ସେଲ ମାଧ୍ୟମରେ ରୋଜଗାର ମେଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆମେ କାମ କରିବୁ। ସେହିପରି ଉପାଧ୍ୟକ୍ଷ ପ୍ରାର୍ଥୀ ଭାନୁ ପ୍ରତାପ ସିଂହ କହିଛନ୍ତି ଯେ କ୍ୟାମ୍ପସରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଇଣ୍ଟର୍ଣ୍ଣସିପ୍, ୱାର୍କସପ୍, ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ ପାଠ୍ୟକ୍ରମ ଲାଗି ଛାତ୍ରଙ୍କ ଶ୍ୱର ଉତ୍ତୋଳନ କରିବେ।