ଭୁବନେଶ୍ବର ୯।୧: ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ଡିସିପି ପିନାକ ମିଶ୍ର ପ୍ରେସମିଟ୍ କରିଛନ୍ତି । ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ଭୁବନେଶ୍ବର ମଞ୍ଚେଶ୍ବର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା । ତଦନ୍ତରୁ ଅଭିଯୁକ୍ତ ଓ ତାଙ୍କ ଗାଡ଼ି ସମ୍ପର୍କରେ ଜଣାପଡ଼ିଥିଲା । ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୧୨ ଘଣ୍ଟା ଭିତରେ ମାମଲାରେ ଅଭିଯୁକ୍ତଙ୍କୁ ଧରାଯାଇଛି ବୋଲି ଡିସିପି କହିଛନ୍ତି । ଆହୁରି ମଧ୍ୟ କିଛି ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । ମୋବାଇଲରୁ ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ ।
ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୫ଜଣ ଗିରଫ ହେଲେଣି । ବୁଧବାର ୩ ଅଭିଯୁକ୍ତ ରବି ନାୟକ, ଲକ୍ଷ୍ମୀଧର ନାୟକ ଏବଂ ଲିପିକା ନାୟକଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ କମିସନରେଟ୍ ପୋଲିସ ସହିତ ସ୍ପେଶାଲ ସ୍କ୍ବାର୍ଡ ନେଇ ସିନ୍ ରିକ୍ରିଏସନ କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ପୂର୍ବ ଯୋଜନା ମୁତାବକ ଧଉଳି ଥାନା ଅନ୍ତର୍ଗତ ଦୟାନଦୀ କୂଳ ନଦୀପଠାରେ ଏକାଠି ହୋଇଥିଲେ । ସେଠାରେ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଦୁଇଟି ମାଂସକଟା ଚାପଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ସେହି ଜରି ବ୍ୟାଗ୍ରେ ଭର୍ତ୍ତି କରି ଦୟା ନଦୀ ପାଣିକୁ ଫୋପାଡି ଦେଇଥିଲେ । ସିନ୍ ରିକ୍ରିଏସନ୍ ସମୟରେ ଏହିସବୁ ଏଭିଡେନ୍ସକୁ ଜବତ କରିଛି ତଦନ୍ତକାରୀ ଟିମ୍ । ରବି ନାୟକ ଏହିସବୁ ସାମଗ୍ରୀକୁ ପୋଲିସକୁ ଦେଖାଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ଏଠାରେ ଏକାଠି ହେବା ପରେ ଲକ୍ଷ୍ମୀଧର ନୟାଗଡ ଚାଲିଯାଇଥିଲା । ଏମାନଙ୍କ ସହିତ ଥିବା ରବି ଓ ତାର ପତ୍ନୀ ଲିପିକା କେଦାରପଲ୍ଲୀ ବସ୍ତିକୁ ଫେରି ଆସିଥିଲେ ।
କେଦାରପଲ୍ଲୀ ବସ୍ତିରେ ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାରୁ ସହଦେବ ପୋଲିସକୁ ସହାୟତା କରିଥିଲା । ଯାହାକୁ ନେଇ ଏହି ବ୍ରାଉନସୁଗାର ବେପାରୀ ମାନେ ଗତ ତିନି ମାସ ପୂର୍ବରୁ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ତେବେ ଧରାପଡିଥିବା ରବି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ନାହିଁ ବୋଲି କହିଛି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାର୍ଡ ତିନୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଆଉ ଦୁଇ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି ।
You Can Read:
ସହଦେବ ନାୟକ ହତ୍ୟାକାଣ୍ଡରେ ବନ୍ଧାହେଲେ ଆଉ ୨ ଅଭିଯୁକ୍ତ, ୫ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା