ଥାନାରେ ପହଞ୍ଚିଲା ସାଉଥ୍‌ ସୁପରଷ୍ଟାରଙ୍କ ପାରିବାରିକ ବିବାଦ, ବାପା-ପୁଅ ପରସ୍ପର ବିରୋଧରେ ଆଣିଲେ ଅଭିଯୋଗ

Published By : Prameya-News7 Bureau | December 10, 2024 IST

News7

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ମଞ୍ଚୁ ମୋହନ ବାବୁଙ୍କ ପାରିବାରିକ ବିବାଦ ଥାନାରେ ପହଞ୍ଚିଛି। ଉଭୟ ବାପା-ପୁଅ ପୋଲିସ ଷ୍ଟେସନରେ ଯିବା ସହ ଉଭୟ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଗତ ସୋମବାର ମଞ୍ଚୁ ମନୋଜ ପହରୀ ସରିଫ ପୋଲିସ ଷ୍ଟେସନରେ ଏକ ଏତଲା ଦେଇଥିଲେ। ଯେଉଁଥିରେ ଅଭିଯୋଗ ହୋଇଥିଲା ଯେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସେ ଏବଂ ତାଙ୍କ ପତ୍ନୀ ଜୀବନ ପ୍ରତି ବିପଦ ଥିଲା। ମନୋଜଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ତେବେ ମଞ୍ଚୁ ମନୋଜଙ୍କ ପିତା ମୋହନ ବାବୁ ମଧ୍ୟ ରାଧାକୋଣ୍ଡା କମିଶନରଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କୁହାଯାଇଛି। ଜୀବନ ପ୍ରତି ବିପଦ ଥିବା ନେଇ ମନୋଜ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ମଞ୍ଚୁ ପରିବାର ମଧ୍ୟରେ ଚାଲିଥିବା ଏହି ବିବାଦକୁ ନେଇ ଜୋରଦାର ଚର୍ଚ୍ଚା।

Xରେ ମୋହନ ବାବୁଙ୍କ ଅଭିଯୋଗ ଉପରେ ମଞ୍ଚୁ ମନୋଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ମୁଁ ଏବଂ ମୋ ପତ୍ନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ରୂପେ ମାଷ୍ଟର ପ୍ଲାନ। ମୁଁ ସମାଜରେ ମୁକ୍ତ ଭାବରେ ବାସ କରେ ଏବଂ ସମାଜରେ ମୋର ସମ୍ମାନ ଅଛି। ଆର୍ଥିକ ସହାୟତା ଏବଂ ସମ୍ପତ୍ତି ପାଇଁ ମୁଁ ମୋ ପରିବାର ଉପରେ ନିର୍ଭରଶୀଳ ନଥିଲି। ମୋ ବାପାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ମୋର ସାତ ମାସର ଝିଅକୁ ଏହି ବିବାଦ ଭିତରକୁ ଟାଣିବା ଅତ୍ୟନ୍ତ ଅମାନବୀୟ। ଜଣେ ନିଜ ପିଲାମାନଙ୍କୁ ଏହିପରି କାର୍ଯ୍ୟରେ ଜଡିତ କରିବା ଉଚିତ୍ ନୁହେଁ। ମୋ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ନୁହେଁ ଏବଂ ମୁଁ କର୍ତ୍ତୃପକ୍ଷଙ୍କୁ ଏହାର ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛି। ”

ମଞ୍ଚୁ ମନୋଜ ଆହୁରି ଲେଖିଛନ୍ତି, “ମୁଁ ସର୍ବଦା ସତ୍ୟ, ନ୍ୟାୟ ଏବଂ ପାରିବାରିକ ଏକତା ପାଇଁ ଛିଡା ହେବି। ମୋ ପିଲାଦିନରେ ମୋ ବାପାଙ୍କ କଥା ମୋତେ ପ୍ରେରଣା ଦେଇଥିଲା ଏବଂ ସେ ମୋର ମାର୍ଗଦର୍ଶକ ହୋଇ ରହିଆସିଛନ୍ତି। ଏହା କେବଳ ଉତ୍ତରାଧିକାର ଏବଂ ସମ୍ପତ୍ତିର ବିଷୟ ନୁହେଁ, ଏହା ସତ୍ୟ ଏବଂ ନ୍ୟାୟର ବିଷୟ। ମୋର ବିଶ୍ୱାସ ଯେ କର୍ତ୍ତୃପକ୍ଷ ନିରପେକ୍ଷ ଭାବରେ ତଦନ୍ତ କରିବେ ଏବଂ ଆଶା କରୁଛି ନ୍ୟାୟ ମିଳିବ। ମୁଁ ନ୍ୟାୟ ପାଇଁ ଲଢ଼ିବାକୁ ସର୍ବଦା ପ୍ରସ୍ତୁତ ଅଛି।”

ନ୍ୟୁଜ୍ ଏଜେନ୍ସି ପିଟିଆଇରେ ବିଳମ୍ବିତ ରାତିରେ ହୋଇଥିବା ରିପୋର୍ଟ ଅନୁଯାୟୀ ତେଲୁଗୁ ଅଭିନେତା ମୋହନ ବାବୁ ନିଜ ପୁଅଙ୍କ ବିରୋଧରେ ହାଇଦ୍ରାବାଦ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ସାନପୁଅ ଏମ ମନୋଜ ଏବଂ ବୋହୂଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ସୋମବାର ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ପୁଅ ଏବଂ ବୋହୂ ଏକାଠି ଜାଲାପାଲି ଅଞ୍ଚଳରେ ସେମାନଙ୍କ ଘର ଦଖଲ କରୁଛନ୍ତି। ରାଧାକଣ୍ଡ ପୋଲିସ କମିଶନରଙ୍କୁ ଦେଇଥିବା ଅଭିଯୋଗରେ ମୋହନ ବାବୁ କହିଛନ୍ତି, ମନୋଜ ଏବଂ ତାଙ୍କ ଦ୍ୱାରା ନିୟୋଜିତ କେତେକ ଅସାମାଜିକ ତତ୍ତ୍ୱ ରବିବାର ତାଙ୍କ ବାସଭବନରେ ଏକ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ପ୍ରାୟ ୩୦ ଜଣ ବ୍ୟକ୍ତି ତାଙ୍କ ବାସଭବନରେ ପ୍ରବେଶ କରି କର୍ମଚାରୀମାନଙ୍କୁ ଧମକ ଦେଇଥିଲେ। ମନୋଜ ଏବଂ ତାଙ୍କ ପତ୍ନୀଙ୍କ ନିର୍ଦ୍ଦେଶରେ ୩୦ ଜଣିଆ ଏକ ଗୋଷ୍ଠୀ 'ବେଆଇନ ଭାବେ' ସେମାନଙ୍କ ଘର ଦଖଲ କରିଥିଲେ। ଏଥିସହ ସେ ପୋଲିସର ସୁରକ୍ଷା ଲୋଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.