ଆନନ୍ଦ ମହିନ୍ଦ୍ରାଙ୍କ ପରେ ଅଦାର ବି କଲେ କଟାକ୍ଷ, କହିଲେ- ମୋ ପତ୍ନୀ ମଧ୍ୟ ମତେ ଦେଖିବାକୁ ପସନ୍ଦ କରନ୍ତି

Published By : Prameya-News7 Bureau | January 12, 2025 IST

ନୂଆଦିଲ୍ଲୀ: ଶନିବାର ଲାରସେନ ଆଣ୍ଡ୍‌ ଟୁବ୍ରୋ (L&T)ର ଅଧ୍ୟକ୍ଷ ଏସ.ଏନ ସୁବ୍ରମଣ୍ୟନ ଏକ ବିବୃତ୍ତି ରଖିଥିଲେ। ସେ କହିଥିଲେ ‘‘କେ‌ତେ ସମୟ ଘରେ ନିଜ ପତ୍ନୀଙ୍କୁ ଦେଖୁଥିବ, ଅଫିସ୍ ଯାଇ କାମ କରିବା ଦରକାର। ସମସ୍ତଙ୍କୁ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦରକାର।’’ ଆଉ ବାସ୍‌ ତାଙ୍କର ଏହି ବିବୃତ୍ତି ପରଠୁ ଆରମ୍ଭ ହୋଇଯାଇଛି ବିବାଦ। ତାଙ୍କର ଏହି ବିବୃତ୍ତି ପରେ ଅନେକ କର୍ପୋରେଟ ଲିଡର୍ସଙ୍କ ପ୍ରତିକ୍ରିୟା ସାମ୍‌ନାକୁ ଆସିଛି। 

ଗତକାଲି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ସୁବ୍ରମଣ୍ୟନଙ୍କ ବିବୃତ୍ତିର ପାଲଟା ଉତ୍ତର ରଖିଥିଲେ। ଆଉ ଏବେ କୋଭିସିଲ୍ଡ ଭାକ୍ସିନ ତିଆରି ଥିବା କମ୍ପାନି ସିରମ ଇନଷ୍ଟିଚ୍ୟୁଟ୍‌ ଅଫି ଇଣ୍ଡିଆର ମାଲିକ ଅଦାର ପୁନାଓ୍ବାଲ ମଧ୍ୟ ସୁବ୍ରମଣ୍ୟନଙ୍କୁ ଟାର୍ଗେଟ କରିଛନ୍ତି। ସେ ଆନନ୍ଦ ମହିନ୍ଦ୍ରାଙ୍କ ସମର୍ଥନ କରିଛନ୍ତି। ଅଦାର ପୁନାଓ୍ବାଲା କହିଛନ୍ତି, ତାଙ୍କୁ କ୍ବାଣ୍ଟିଣ୍ଟି ନୁହେଁ, ବରଂ କାମର କ୍ବାଲିଟି ପସନ୍ଦ। ସେ ଆହୁରି କହିଛନ୍ତି ‘‘ମୋତେବି ପତ୍ନୀଙ୍କୁ ଦେଖିବା ଭଲ ଲାଗେ । କାମର ଗୁଣବତ୍ତା ସବୁବେଳେ ମାତ୍ର ଠାରୁ ଅଧିକ ଜରୁରୀ।’’ 

ସେପଟେ ଅଦାରଙ୍କ ପୋଷ୍ଟରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି। ବୀଣା ଜୈନ ନାମକ ଜଣେ ୟୁଜର ଲେଖିଛନ୍ତି ‘‘ଖୁସି ଲାଗିଲା, ଅନ୍ତତଃ କିଛି ଲୋକ ଶକ୍ତିଶାଳୀ ପଦରେ ଓ୍ବାର୍କ ଲାଇଫ୍‌ ବାଲାନ୍ସ ବିଷୟରେ କଥା ହେଉଛନ୍ତି। ଆଶା ଯେ, ଅଧିକ ଲୋକ ଏହା ଉପରେ ଧ୍ୟାନ ଦେବେ।’’ ସେହିଭଳି ଆଉ ଜଣେ ୟୁଜର ମଧ୍ୟ କହିଛନ୍ତି ମୁଁ ଆପଣଙ୍କ ସହ ସହମତ, ଓ୍ବାର୍କ ଲାଇଫ୍‌ ବାଲାନ୍ସ ବହୁତ ଜରୁରୀ।’’

ସୂଚନାଯୋଗ୍ୟ, ଶନିବାର ଆନନ୍ଦ ମହିନ୍ଦ୍ରା ଏସଏନ ସୁବ୍ରମଣ୍ୟନଙ୍କ ବକ୍ତବ୍ୟ ଉପରେ କଟାକ୍ଷ କରି କହିଥିଲେ ଯେ କାମର କ୍ୱାଣ୍ଟିଟି ଅପେକ୍ଷା କାମର କ୍ୱାଲିଟି ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ “'ଏହି ବିତର୍କ ଭୁଲ ଦିଗରେ ଯାଉଛି।' ଏହା କାମର କ୍ୱାଣ୍ଟିଟି ବିଷୟରେ ହେଉଛି। ହେଲେ ଏହା କ୍ୱାଲିଟି ବିଷୟରେ ହେବା ଉଚିତ। ଆପଣ ୧୦ ଘଣ୍ଟା କାମ କଲେ ବି ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କର ଆଉଟପୁଟ୍ କ’ଣ ? ଯଦି ଆପଣ ୪୦ ଘଣ୍ଟା କିମ୍ବା ୯୦ ଘଣ୍ଟା କାମ କରୁଛନ୍ତି ହେଲେ ଭଲ କାମ କରୁ ନାହାନ୍ତି ତେବେ କିଛି ଲାଭ ନାହିଁ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି।

 

ସେହିଭଳି ସୁବ୍ରିମଣ୍ୟନଙ୍କ ପତ୍ନୀଙ୍କ ମୁହଁ କେତେ ଆଉ ଦେଖିବ ବୟାନ୍‌ରେ ତେର୍ଛା ବାଣ ମାରିଥିଲେ ମହିନ୍ଦ୍ରା। ସେ କହିଛନ୍ତି ଯେ ମୁଁ ଏକୁଟିଆ ରହୁଛି ସେଥିପାଇଁ ସୋସିଆଲ୍ ମିଡିଆ ବ୍ୟବହାର କରୁଛି ତାହା ନୁହେଁ, ମୋ ପତ୍ନୀ ବହୁତ ଭଲ। ମୋତେ ତାଙ୍କ ମୁହଁ ଦେଖିବାକୁ ଭଲ ଲାଗେ। ତେଣୁ ମୁଁ ଏଠି ବନ୍ଧୁ ବନାଇବାକୁ ଆସି ନାହିଁ। ସୋସିଆଲ୍ ମିଡିଆ ଏକ ଅଦଭୁତ ବିଜ୍‌ନେସର ଟୁଲ୍ ସେଥିପାଇଁ ମୁଁ ବ୍ୟବହାର କରେ ବୋଲି ମହିନ୍ଦ୍ରା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲାରସନ ଆଣ୍ଡ୍‌ ଟୁବ୍ରୋର ଅଧ୍ୟକ୍ଷ ଏସ.ଏନ ସୁବ୍ରମଣ୍ୟନଙ୍କ ଟିପ୍ପଣୀରୁ ସୋସିଆଲ ମିଡିଆରେ ବିବାଦ ଆରମ୍ଭ ହୋଇଯାଇଥିଲା। ସେ କହିଥିଲେ ‘‘ଆପଣ ଘରେ ବସି ନିଜ ପତ୍ନୀଙ୍କୁ କେତେ ସମୟ ଦେଖିବେ ? ଅଫିସ ଯାଇ କାମ କରିବା ଦରକାର।’’ ସେ ଆହୁରି କହିଥିଲେ ସପ୍ତାହକୁ ୯୦ ଘଣ୍ଟା କାମ କରିବା କଥା। କର୍ମଚାରୀ ରବିବାରବି ଛୁଟି ନନେବା ଦରକାର। 

ଗତ ବର୍ଷ ଇନ୍‌ଫୋସିସର ସହ-ସଂସ୍ଥାପକ ନାରାୟଣ ମୂର୍ତ୍ତି ମଧ୍ୟ ଯୁବକଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ଏହା ଉପରେ ଅନେକ ଦିନ ଧରି ଚର୍ଚ୍ଚା ହୋଇଥିଲା ଆଉ ଲୋକେ ଖୁବ୍ ବିରୋଧ ମଧ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.