ଗୁଣି ଗାରେଡି ସନ୍ଦେହରେ ନିଆଁ ପାଣି ବାସନ୍ଦ, ନ୍ୟାୟ ପାଇଁ ଥାନାରେ ପରିବାର

Published By : Prameya-News7 Bureau | September 27, 2024 IST

ମାଲକାନଗିରି ୨୭/୦୯: ଗୁଣି ଗାରେଡି ସନ୍ଦେହରେ ଗାଁର ଗୋଟିଏ ପରିବାର ବାସନ୍ଦ । କିଛି ଦିନ ଧରି ନିଜ ସଂପର୍କୀୟଙ୍କ ଘରେ ରହିବା ପରେ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗରିବ ଆଦିବାସୀ ପରିବାର । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । 

ସୂଚନାଥାଉକି, ଗୁଣି ଗାରେଡି ସନ୍ଦେହରେ ଗାଁରୁ ବିତାଡିତ ହୋଇଥିଲେ ଗରିବ ଆଦିବାସୀ ପରିବାର । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ଭକ୍ତରାମ ହନ୍ତାଳ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ୨ ପୁଅ ଓ ଝିଅ ସହ ପିଢୀ ପିଢୀ ଧରି ରହି ଆସୁଥିଲେ । ଭକ୍ତରାମଙ୍କ ଗୋଟିଏ ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ଜଣେ ପୁଅ ଓ ଝିଅ ଗାଁ ବିଦ୍ୟାଳୟରେ ପାଠ ପଢନ୍ତି । 

ଭକ୍ତରାମ ନିଜର ୭ ଏକର ଜମିରେ ଚାଷ ବାସ କରିବା ସହ ଗାଈ ଓ ଛେଳି ପାଳନ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ହେଲେ ଏହାରି ଭିତରେ ଗାଁର ୨ ଜଣ ବ୍ୟକ୍ତି ଗତ କିଛି ମାସ ତଳେ ପ୍ରାଣ ହରାଇଥିଲେ । ତେବେ ଭକ୍ତରାମ ଗୁଣି ଗାରେଡି କରିଥିବା ସନ୍ଦେହ କରିଥିଲେ ଲୋକେ । ଯାହାକୁ ନେଇ ଗାଁ ଲୋକେ ଭକ୍ତରାମ ଓ ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମାରି ଗାଁରୁ ବିତାଡିତ କରିଛନ୍ତି । 


ଭକ୍ତରାମ ହନ୍ତାଳ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ବହୁ ଅସୁବିଧାରେ ରହିଥିବା ବେଳେ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗରିବ ଆଦିବାସୀ ପରିବାର । ଖାଲି ସେତିକି ନୁହେଁ ଭକ୍ତରାମ ଓ ତାଙ୍କ ପରିବାର ହନ୍ତାଳ ଗାଁକୁ ଫେରିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି ଗ୍ରାମବାସୀ । ଫଳରେ ଭୟଭୀତ ହୋଇ ଭକ୍ତରାମ ନିଜ ପରିବାର ସହ ଭିଟାମାଟି ଛାଡି ଅନ୍ୟତ୍ର ଚାଲି ଆସିଛନ୍ତି । 

ଗାଁରେ ଭକ୍ତରାମଙ୍କ ୭ ଏକର ଜମିରେ ଧାନ ଫସଲ ହୋଇଥିବା ବେଳେ ୬ଟି ଗାଈ, ୧୪ଟି ଛେଳି ଓ ୭ଟି କୁକୁଡା ସହ ଅନେକ ଖାଦ୍ୟ ସାମଗ୍ରୀ ଓ ଘରୋଇ ଉପରକରଣ ନିଜ ଘରେ ଛାଡି ଆସିଛନ୍ତି । ଚିତ୍ରକୋଣ୍ଡା ବ୍ଲକର କୋଡିଗନ୍ଧି ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ଏବେ ଆଶ୍ରୟ ନେଇଛନ୍ତି ଭକ୍ତରାମ ହନ୍ତାଳ ପରିବାର । 

ହେଲେ ଗାଁ ଲୋକଙ୍କ ନାମରେ ଭକ୍ତରାମ ଥାନାରେ ଅଭିଯୋଗ କରିବା ପରେ ଗାଁ ଲୋକେ ମଧ୍ୟ ଥାନାକୁ ଆସିଛନ୍ତି । ତାଙ୍କ କହିବା କଥା ତାଙ୍କୁ ମାର ପିଟ୍ କରାଯାଇନାହି ବରଂ ଭକ୍ତରାମଙ୍କ ପରିବାର ଲୋକେ ଗାଁ ଠାକୁରାଣୀ ପୀଠରେ ଗୋବର ଫିଙ୍ଗିଥିବା ନେଇ ବଚ୍ଚାସା ହୋଇଥିଲା । ଭକ୍ତରାମଙ୍କୁ କେହି ଡରାଇ ନାହାନ୍ତି ବରଂ ସେ ନିଜେ ଗାଁ ଛାଡି ଚାଲି ଯାଇଛନ୍ତି ବୋଲି ଗାଁ ଲୋକେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.