ଭୁବନେଶ୍ବର ୨୦।୭: ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗାର ପୀଡ଼ିତା ନାବାଳିକା । ବଳଙ୍ଗା ପୀଡିତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ନେଇ ଚାଲିଛି ପ୍ରସ୍ତୁତି । ପୀଡ଼ିତାଙ୍କୁ ଏୟାରଲିଫ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । ସେ କହିଛନ୍ତି, ଦିନ ୧୨ଟା ୩୦ମିନିଟ୍ ସୁଦ୍ଧା ପୀଡ଼ିତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ । ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ଏମ୍ସର ଡାକ୍ତରୀ ଟିମ୍ ସହ ପରିବାର ସଦସ୍ୟ ମଧ୍ୟ ଦିଲ୍ଲୀ ଯିବେ ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶନିବାରଠୁ ପୀଡିତାଙ୍କ ଚିକିତ୍ସା ଚାଲିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା ମଧ୍ୟ ହୋଇଛି ।
ତେବେ ରବିବାର ଦିନ ପୀଡିତାଙ୍କ ସଂପର୍କୀୟ ଭାଇଙ୍କ ସୂଚନା ମୁତାବିକ, ଗତ କିଛି ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ତେଣୁ ଅଧିକ ଚିକିତ୍ସା ପାଇଁ ନାବାଳିକାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯିବ । ଏନେଇ ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ଙ୍କ ମଧ୍ୟରେ ଆଲୋଚନା ଚାଲିଛି । ୨ ରୁ ୩ ଘଣ୍ଟା ମଧ୍ୟରେ ବଳଙ୍ଗା ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ ବୋଲି ସେ କହିଛନ୍ତି ।
You Can Read:
ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ