ନୂଆଦିଲ୍ଲୀ: ଫ୍ରାନ୍ସ ବିମାନ ନିର୍ମାତା କମ୍ପାନି ଏୟାରବସକୁ ୧୦୦ ନୂଆ ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ଅର୍ଡର ଦେଇଛି । ଏହି ବିମାନଗୁଡ଼ିକ ମଧ୍ୟରେ ୧୦ଟି ୱାଇଡ୍ବଡି ଏ୩୫୦ ଏବଂ ୯୦ଟି ନାରୋବଡି ଏ୩୨୦ ଫ୍ୟାମିଲି ବିମାନ ଏବଂ ଏ୩୨୧ ନିୟୋ ସାମିଲ ରହିଛି । ୧୦୦ ନୂଆ ବିମାନର ଅର୍ଡର ପୂର୍ବରୁ ଦିଆଯାଇଥିବା ୪୫୦ ବିମାନ ଅର୍ଡର ଠାରୁ ଅତିରିକ୍ତ ରହିବ । ଗତ ବର୍ଷ ଏୟାରବସ ଏବଂ ବୋଇଙ୍ଗଠାରୁ ୪୫୦ ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ଅର୍ଡର ଦେଇଥିଲା ।
ନୂଆ ଅର୍ଡର ପରେ ଏୟାର ଇଣ୍ଡିଆ ପକ୍ଷରୁ ଏୟାରବସକୁ ଅର୍ଡର ଦିଆଯାଇଥିବା ମୋଟ ବିମାନ ସଂଖ୍ୟା ୩୫୦ ହୋଇଛି । ଗତ ବର୍ଷ ଭାରତୀୟ ବିମାନ କମ୍ପାନି ଏୟାରବସକୁ ୨୫୦ ବିମାନ ଅର୍ଡର ଦେଇଥିଲା । ଏଥିରେ ୪୦ ୱାଇଡ୍ବଡି ଏ୩୫୦ ଏବଂ ୨୧୦ ଏ୩୨୦ ଫ୍ୟାମିଲି ବିମାନ ସାମିଲ ଥିଲା ।
ଟାଟା ସନ୍ସ ଏବଂ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେଖରନ କହିଛନ୍ତି, 'ଦୁନିଆ ତୁଳନାରେ ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଅଧିକ । ତେଣୁ ଭିତ୍ତିଭୂମିରେ ସୁଧାରର ଆବଶ୍ୟକତା ରହିଛି । ଦେଶର ଯୁବ ଜନସଂଖ୍ୟା ଦ୍ରୁତ ଗତିରେ ବିଶ୍ୱର ବିଭିନ୍ନ କୋଣକୁ ଯାତ୍ରା କରୁଛନ୍ତି । ସେହି ଦୃଷ୍ଟିରେ ଏୟାର ଇଣ୍ଡିଆ ଦ୍ୱାରା ଗତ ବର୍ଷ ଦିଆଯାଇଥିବା ୪୭୦ ବିମାନ ଅର୍ଡର ଭବିଷ୍ୟତରେ ବଡ଼ ବିସ୍ତାର ପାଇଁ ଜରୁରି । ସେ କହିଛନ୍ତି, 'ଅତିରିକ୍ତ ୧୦୦ ଏୟାରବସ ବିମାନ ଏୟାର ଇଣ୍ଡିଆକୁ ବିକାଶ ରାସ୍ତାରେ ନେବାରେ ସହାୟକ ହେବ । ଏହାସହ ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ଏୟାରଲାଇନ କରିବାର ଆମ ମିଶନରେ ଯୋଗଦାନ ଦେବେ । ଭାରତକୁ ଦୁନିଆର ସବୁ କୋଣକୁ ଯୋଡ଼ିବ ।'
ଏୟାରବସ ସିଇଓ ଗିଲୋମ ଫୈରୀ କହିଛନ୍ତି, 'ଗତ କିଛି ମାସରେ ଭାରତୀୟ ବିମାନ କ୍ଷେତ୍ରରେ ଜବରଦସ୍ତ ବୃଦ୍ଧିକୁ ବ୍ୟକ୍ତିଗତ ଭାବେ ଦେଖିବା ପରେ, ଏୟାର ଇଣ୍ଡିଆର ଏହି ଅତିରିକ୍ତ ଅର୍ଡର ପାଇଁ ଏୟାରବସ ଭରସା ଜିତିଥିବାରୁ ମୁଁ ଖୁସି । ଏହି ନିରନ୍ତର ସହଭାଗୀତା ଜରିଆରେ ଆମେ ଟାଟାର ଭିଜନ୍ ଏବଂ ନେତୃତ୍ୱରେ ଏୟାର ଇଣ୍ଡିଆର ପରିବର୍ଦ୍ଧିତ ଯୋଜନାର ସଫଳତାରେ ନିଜ ଯୋଗଦାନ ପାଇଁ ପ୍ରତିବଦ୍ଧ ଅଛୁ ।'