ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଗୁରୁବାରଠୁ ଫଡନବିସ୍ ରାଜ୍ । ସଂଧ୍ୟାରୁ ସରକାର ଗଠନ କରିବ ମହାୟୁତି ମେଣ୍ଟ । ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନବିସ । ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମାତ୍ର ମହାରାଷ୍ଟ୍ର କ୍ୟାବିନେଟକୁ ନେଇ କିଛି ସ୍ପଷ୍ଟ ଚିତ୍ର ମିଳିନାହିଁ । ଶୀଘ୍ର ଏହାକୁ ନେଇ ନାଁ ଘୋଷଣା କରାଯିବ । ଏପଟେ ଆଜି ଏନସିପି ମୁଖ୍ୟ ଅଜିତ୍ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ନାଁରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇଯିବ । ସର୍ବାଧିକ ଥର ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ । ଏହାକୁ ମିଶାଇ ସେ ଷଷ୍ଠ ଥର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ଭାରତୀୟ ସମ୍ବିଧାନରେ ଉପ-ମୁଖ୍ୟମନ୍ତ୍ରୀ ହେବାର କୌଣସି ବ୍ୟବସ୍ଥା ନାହିଁ । ମାତ୍ର ଶାସନ କଳକୁ ସମାନ୍ତରଳ ଭାବେ ଚଳାଇବାକୁ ଏଭଳି ନିଷ୍ପତ୍ତି ନିଆଯାଏ । ଖାସ୍ କରି ମେଣ୍ଟ ସରକାରରେ ୨ଜଣ ଲେଖାଏଁ ଉପ-ମୁଖମନ୍ତ୍ରୀ ଶପଥ ନେଉଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଉଥିବା ନେତାଙ୍କୁ ଏହି ପଦ ଦିଆଯାଇଥାଏ । ବର୍ତ୍ତମାନ ସମୟରେ ୧୪ ରାଜ୍ୟରେ ୨୩ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଦେଶର ପ୍ରଥମ ଉପମୁଖ୍ୟମନ୍ତ୍ରୀ ଭାବେ ଅନୁଗ୍ରହ ନାରାୟଣ ସିହ୍ନା ଶପଥ ନେଇଥିଲେ । ସ୍ବାଧୀନତା ପରେ ୧୯୫୭ ଜୁଲାଇ ମାସ ପର୍ଯ୍ୟନ୍ତ ସେ ବିହାରର ଡେପୁଟି ସିଏମ୍ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ପରେ ୧୯୬୭ରେ କର୍ପୁରୀ ଠାକୁରଙ୍କୁ ବିହାରର ଉପ-ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା ।
ମହାରାଷ୍ଟ୍ର ନୂଆ ସରକାରରେ ପୁଣି ଥରେ ଏନସିପି ମୁଖ୍ୟ ଅଜିତ୍ ପାଓ୍ବାରଙ୍କ ଭୂମିକା ସ୍ଥିର ହୋଇଛି । ବୁଧବାର ମହାୟୁତି ପକ୍ଷରୁ ସାମ୍ବିଦିକ ସମ୍ମିଳନୀ ହୋଇଥିଲା । ଏଥିରେ ସିନ୍ଦେ ଏବଂ ପାଓ୍ବାର ଗୁରୁବାର ଡେପୁଟି ସିଏମ୍ ଭାବେ ଶପଥ ନେବେ କି ନାହିଁ ପ୍ରଶ୍ନ ହୋଇଥିଲା । ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଏକନାଥ ସିନ୍ଦେ କହିଥିଲେ । ମାତ୍ର ଏହାର ତୁରନ୍ତ ଜବାବ ଦେଇଥିଲେ ଅଜିତ୍ ପାଓ୍ବାର । ସେ କହିଥିଲେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛି । ଏହାକୁ ନେଇ ମଜାଳିଆ ଢଙ୍ଗରେ କହିଥିଲେ ଦାଦାଙ୍କୁ ଦ୍ବିପ୍ରହର-ସଂଧ୍ୟା ଏବଂ ସକାଳେ ଶପଥ ନେବାର ଅନୁଭବ ରହିଛି ।...