ପାକିସ୍ତାନ ନାଁରେ ଲଜ୍ଜାଜନକ ରେକର୍ଡ, ବିନା ମ୍ୟାଚ୍ ଜିତି ଚାମ୍ପିଅନ୍ସ ଟ୍ରଫିରୁ ହେଲା ବିଦା

Published By : Prameya-News7 Bureau | February 27, 2025 IST

ରାଓ୍ଵଲପିଣ୍ଡି: ଚାମ୍ପିଅନ୍ସ ଟ୍ରଫି ଇତିହାସରେ କଣ ଏମିତି କେବେ ଘଟିଥିଲା, ଯେଉଁଠି ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ଜିତିନ ଥିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଦେଶ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡ଼ି ସାରିଛି। ଏଥିରୁ ଲଜ୍ଜାକର କଥା ଦଳ ବିନା କୌଣସି ମ୍ୟାଚ୍ ଜିତି ନିଜର ଅଭିଯାନ ସମାପ୍ତ କରିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ନବମ ମୁକାବିଲା ବର୍ଷା କାରଣରୁ ରଦ୍ଦ ହୋଇଛି। 

ରାଓ୍ଵଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଲଗାତାର ବର୍ଷା ଓ ଅଦା ଆଉଟ୍ ଫିଲ୍ଡ କାରଣରୁ ଟସ୍ ବି ପଡ଼ି ପାରି ନ ଥିଲା।ଶେଷରେ ବାଧ୍ୟ ହୋଇ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଛି। ବିନା କୌଣସି ବିଜୟରେ ପାକିସ୍ତାନ ତୃତୀୟ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ଦଳ  ୨୦୨୩ରେ ଦିନିକିଆ ବିଶ୍ଵକପ୍ ଓ ୨୦୨୪ରେ ଟି-୨୦ ବିଶ୍ଵକପ୍‌ରେ ପ୍ରଥମ ରାଉଣ୍ଡରୁ ହିଁ ବାଦ୍ ପଡ଼ିଥିଲା। ବାଂଲାଦେଶ ବି ବିନା କୌଣସି ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। 

Also read: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବଡ଼ ବିପର୍ଯ୍ୟୟ ଘଟାଇଲା ଆଫଗାନିସ୍ତାନ, ଟୁର୍ଣ୍ଣାମେଣ୍ଟରୁ ଇଂଲଣ୍ଡ ବିଦା

ପାକିସ୍ତାନ  ପାଇଁ ଲଜ୍ଜାଜନକ ଏହା ଯେ, ଦଳ ନିଜ ମାଟିରେ ବି ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିଲା ନାହିଁ। ନିଜେ ଆୟୋଜକ ଥିବା ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୬୦ ରନରେ ପରାଜିତ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ରେ ଭାରତଠୁ ୬ ଓ୍ଵିକେଟ୍‌ରେ  ହାରିଥିଲା। ଆଉ ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଛି।ଉଭୟ ପାକିସ୍ତାନ ଓ ବାଂଲାଦେଶକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। 

ଅନ୍ୟପଟେ ବାଂଲାଦେଶର  ମଧ୍ୟ ସମାନ ଅବସ୍ଥା। ନିଜର ପ୍ରଥମ ମ୍ୟାଚ୍‌ରେ ଦଳ ଭାରତଠୁ ପରାଜିତ ହୋଇଥିଲା। ଦ୍ଵିତୀୟ ମୁକାବିଲାରେ ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଥିଲା ନ୍ୟୁଜିଲାଣ୍ଡ। ଆଉ ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ  ବାତିଲ ହୋଇଛି। ଉଲ୍ଲେଖନୀୟ ପାକିସ୍ତାନ ଓ ବାଂଲାଦେଶ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିଲେ। 

ଆଠଟି ଦଳକୁ ନେଇ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍‌ ପାଇଁ ଯୋଗ୍ୟତ ଅର୍ଜନ କରି ସାରିଛନ୍ତି। ଏହି ଗ୍ରୁପରୁ ପାକିସ୍ତାନ ଓ ବାଂଲାଦେଶ ବିଦା ହୋଇଥିବା ବେଳେ ଗ୍ରୁପ ବିରୁ ଇଂଲଣ୍ଡ ବାଦ୍ ପଡ଼ି ସାରିଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ସେମି ପାଇଁ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.