ଆଲିଆ ପୁଣି ଥରେ ଡିପ୍‌ଫେକ୍‌ର ଶିକାର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ ୧୬।୦୬: ୨ୟ ଥର ଡିପ୍‌ଫେକ୍‌ର ଶିକାର ହୋଇଛନ୍ତି ଆଲିୟା ଭଟ୍ଟ । ତାଙ୍କ ଡିପ୍‌ଫେକ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମୀକ୍ଷା ଅବତାର ନାମ୍ନୀ ଜଣେ ୟୁଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଅପ୍‌ଲୋଡ କରିଛନ୍ତି । ଏହାକୁ ଅଦ୍ୟାବଧି ୧.୭ କୋଟିରୁ ଅଧିକ ଥର ଦେଖାଗଲାଣି । ସମୀକ୍ଷା ନିଜ ଇନ୍‌ଷ୍ଟା ବାୟୋରେ ଲେଖିଛନ୍ତି ‘ଏଆଇ ପ୍ରୟୋଗରେ ପ୍ରସ୍ତୁତ ସମସ୍ତ ଭିଡିଓ କେବଳ ମନୋରଞ୍ଜନ ପାଇଁ ଅଟେ ।’ 

ଭିଡିଓରେ ଆଲିୟାଙ୍କୁ କଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି । କ୍ୟାମେରା ସାମ୍ନାରେ ମେକ୍‌ଅପ କରୁଥିବା ସେ ନଜର ଆସିଛନ୍ତି । ଡିପ୍‌ଫେକ୍‌ ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର ପ୍ରତିକ୍ରିୟା ଦେଉଛନ୍ତି । ଏଆଇ ଅତ୍ୟନ୍ତ ବିପଦପୂର୍ଣ୍ଣ ହେବାରେ ଲାଗିଛି ବୋଲି ଅନେକ କହିଛନ୍ତି । ଆଲିୟାଙ୍କର ପ୍ରଥମ ଡିପ୍‌ଫେକ୍‌ ଭିଡିଓରେ ଜଣେ ଝିଅ ଧଳା-ନୀଳ ଫ୍ଲୋରାଲ ଡ୍ରେସ୍‌ ପିନ୍ଧି ବୋଲ୍ଡ ପୋଜ୍‌ ଦେଉଥିବା ନଜର ଆସିଥିଲେ । ଏଆଇ ଟୁଲ୍‌ ଯୋଗୁ ସେ ପୂରାପୂରି ଆଲିୟାଙ୍କ ଭଳି ଦିଶୁଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକଳାପ ଓ ଭାବଭଙ୍ଗୀରୁ ୟୁଜର ଜାଣିପାରିଥିଲେ ତାହା ଡିପ୍‌ଫେକ୍‌ ବୋଲି । 

ତେବେ ଆଲିୟାଙ୍କ ପୂର୍ବରୁ ଅନେକ ଅଭିନେତ୍ରୀଙ୍କର ଡିପ୍‌ଫେକ୍‌ ଭିଡିଓ ପ୍ରସ୍ତୁତ ହୋଇଛି । ରଶ୍ମିକାଙ୍କଠାରୁ ଏହା ଆରମ୍ଭ ହୋଇଥିଲା । ଏହାର ପ୍ରତିକ୍ରିୟାରେ ବଲିଉଡ୍‌ର ତମାମ ଷ୍ଟାର୍‌ ତାଙ୍କ ସମର୍ଥନରେ ଆଗକୁ ଆସିଥିଲେ । କାଜୋଲଙ୍କର ପୋଷାକ ବଦଳାଇବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଡିପ୍‌ଫେକ୍‌ ଏକ ପ୍ରକାର ନକଲି ଭିଡିଓ । ଏଥିରେ ଅତ୍ୟନ୍ତ ଧ୍ୟାନର ସହ ଏଆଇ ଟୁଲ୍‌ ବ୍ୟବହାର କରି ଚେହେରା, ସ୍ୱର ବା ଭାବଭଙ୍ଗୀକୁ ବଦଳାଇ ଦିଆଯାଏ । ଏହା ପରେ ଅସଲି ଓ ନକଲି ମଧ୍ୟରେ ଫରକ ଜାଣିବା ମୁସ୍କିଲ ହୋଇପଡ଼େ । ଏଆଇ ଟୁଲ୍‌ ଆସିବା ପରଠୁ ଏହି ମାମଲା ଅଧିକ ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.