ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 15, 2024 IST

ଭୁବନେଶ୍ବର ୧୫।୬: ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବ । ଗ୍ରୀଷ୍ମ ଛୁଟି ପରେ ୧୮ ତାରିଖରେ ସ୍କୁଲ ଖୋଲିବ । ତେବେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଦିନରେ ମଧ୍ୟାହ୍ନଭୋଜନ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏ ଦିଗରେ ପଦକ୍ଷେପ ନେବାକୁ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍ ନାୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ନିର୍ଦ୍ଦେଶନାମାରେ ସେ ଦର୍ଶାଇଛନ୍ତି ଯେ, ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକ୍‌ଦାର । ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକ୍‌ରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ବ ଦେବାକୁ କୁହାଯାଇଛି । ଛୁଟି ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ବଳକା ରହିଥିବା ଚାଉଳ, ତେଲ, ଡାଲି, ସୋୟାବଢ଼ି ସମେତ ମଧ୍ୟାହ୍ନ ଭୋଜନରେର ବ୍ଯବହୃତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଠିକ୍ ଅଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ କୁହାଯାଇଛି । ରୋଷେୟା କିମ୍ବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି) ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ତାହାକୁ ଚାଖିବାକୁ ପରାମର୍ଶ ଦିଆଯାଇଛି । ସାମଗ୍ରୀଗୁଡ଼ିକ ଯଦି ଖାଇବା ଯୋଗ୍ୟ ନ ଥିବ ସ୍କୁଲର ପ୍ରଧାନଶିକ୍ଷକମାନେ ତାହାକୁ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ। ସିଆରସିସି ଓ ବିଇଓମାନେ ତାହାକୁ ଯାଞ୍ଚ କରିବେ ଏବଂ ସୁନିଶ୍ଚିତ କରାଇବେ । 

ପ୍ରଥମ ଦିନର ମଧ୍ୟାହ୍ନ ଭୋଜନରେ ଯେପରି କୌଣସି ପ୍ରକାର ଅବ୍ୟବସ୍ଥା ନହୁଏ ସେଥିପାଇଁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସିମାନେ ନିୟମିତ ଭାବେ ଯାଞ୍ଚ କରିବେ । ରୋଷେଇ ହେଉଥିବା ସ୍ଥାନର ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଷେୟା-ସହାୟକ, ପାନୀୟ ଜଳ ଓ ମଧ୍ୟାହ୍ନଭୋଜନ ଉପାଦାନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

You Can Read :

କଥା ଦେଇ କଥା ରଖିଲେ ମୋଦୀ, ଫଟୋ ଦେଇଥିବା ବ୍ରହ୍ମପୁରର ଦୁଇ ଭଉଣୀଙ୍କୁ ପଠାଇଲେ ଚିଠି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.