ମେଟାକୁ 'ସୁପ୍ରିମ' ଛାଟ : ଲୋକଙ୍କ ଗୋପନୀୟତା ସହ ଖେଳି ପାରିବନି, ନିୟମ ନମାନିଲେ ଦେଶ ଛାଡି ଚାଲିଯାଅ

NEWS7
allegation-against-security-agency-in-bhadrak-district

ନୂଆଦିଲ୍ଲୀ,୩|୦୨ : ମେଟାକୁ ସୁପ୍ରିମ ଛାଟ । ହ୍ୱାଟସଆପ୍ ପଲିସିକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ । ପ୍ରାଇଭେସି ପଲିସି ତଥା ବ୍ୟକ୍ତିଗତ ତଥ୍ୟର ନିୟମକୁ ନେଇ ସୋସିଆଲ ମେସେଜିଂ ଆପ୍ ହ୍ୱାଟସଆପ୍ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ କମ୍ପାନୀ ୟୁଜରଙ୍କ ଗୋପନୀୟତା ସହ ଖେଳିପାରିବନି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

କୋର୍ଟ କହିଛନ୍ତି ଯେ, ହ୍ୱାଟସଆପ୍ ସଦାବେଳେ ୟୁଜରଙ୍କ ପ୍ରାଇଭେସି ସହ ଖେଳିପାରିବ ନାହିଁ । କୋର୍ଟ ଏନେଇ ଅନୁମତି ଦେବେ ନାହିଁ । ଏକ ଅତି ଛୋଟ ତଥ୍ୟ ବି ସେୟାର କରିବାକୁ ହ୍ୱାଟସଆପକୁ ଅନୁମତି ଦିଆଯିବ ନାହିଁ । କମ୍ପାନୀ ଭାରତୀୟଙ୍କୁ ଶୋଷଣ କରିପାରିବନି ।

୨୦୨୧ରେ ହ୍ୱାଟସଆପର ଏକ ପଲିସିକୁ ନେଇ କୋର୍ଟ ଶୁଣାଣି କରିଛନ୍ତି । ପୂର୍ବରୁ ଏନେଇ କମ୍ପାନୀ ଆଇନ ଟ୍ରିବ୍ୟୁନାଲ ହ୍ୱାଟସଆପ ଉପରେ ଲାଗିଥିବା ୨୧୩ କୋଟିର ଜରିମନାକୁ କାଏମ ରଖିଥିଲେ । ଏହାସହ କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ ଡାଟା ସେୟାରିଂକୁ କେବଳ ବିଜ୍ଞାପନ ପାଇଁ ବ୍ୟବହାର କରିବାକୁ କହିଥିଲେ । ତେବେ ଆଇନ ଟିବ୍ୟୁନାଲ ଏନେଇ ଅନୁମତି ଦେଇଥିଲେ ମଧ୍ୟ କମ୍ପାନୀ ଏହାର ଯେପରି ଦୁରୁପଯୋଗ ନକରେ ସେନେଇ ସତର୍କ କରାଇଥିଲେ । ପରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଁଚିଥିଲା ।

କୋର୍ଟରେ ଭାରତ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ମେଟାର ଡାଟା ସେୟାରିଂକୁ କଟାକ୍ଷ କରିଛନ୍ତି । ବିଜ୍ଞାପନରେ ମେଟା କିପରି ଭାରତୀୟଙ୍କୁ ଶୋଷଣ କରୁଛି ସେନେଇ ତଥ୍ୟ ରଖିଛନ୍ତି । ଏହାକୁ ନେଇ କଡା ଟିପ୍ପଣୀ ରଖିଛନ୍ତି ପ୍ରଧାନ ବିଚାରପତି । ଯଦି ମେଟା ଭାରତୀୟ ସମ୍ବିଧାନକୁ ମାନୁନି ତେବେ ଭାରତ ଛାଡିଦେଉ ବୋଲି ସେ କହିଛନ୍ତି ।

କୋର୍ଟ ଆହୁରି ମଧ୍ୟ ପଚାରିଛନ୍ତି ଯେ, ମେଟା ଅନେକ ପଲିସି କରୁଛି । ଯାହାକୁ ରାସ୍ତା କଡରେ ଦୋକାନ ଦେଇଥିବା ଏବଂ କେବଳ ତାମିଲ କହୁଥିବା ଜଣେ ଗରିବ ମହିଳା କିପରି ବୁଝିବ । ଅନେକ ସମୟରେ କୋର୍ଟ ପାଇଁ ମଧ୍ୟ ମେଟାର ପଲିସି ବିଷୟରେ ଜାଣିବା କଷ୍ଟକର ହୋଇପଡେ । ବିହାରର ଗ୍ରାମାଞ୍ଚଳରେ ଥିବା ଜଣେ ବ୍ୟକ୍ତି ମେଟାର ପଲିସି ବିଷୟରେ କେମିତି ଏତେ କଥା ଜାଣିବ ବୋଲି ମଧ୍ୟ ନ୍ୟାୟାଳୟ ପଚାରିଛନ୍ତି ।

ଜଷ୍ଟିସ ସୂର୍ଯ୍ୟକାନ୍ତ ନିଜର ଏକ ଅଭିଜ୍ଞତାକୁ ନେଇ କହିଛନ୍ତି ଯେ, ଦେହ ଖରାପ ସମୟରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ହ୍ୱାଟସଆପରେ ଜଣାଇଥାଏ । ଯଦି ହ୍ୱାଟସଆପରେ ଡାକ୍ତର କିଛି ମେଡିସିନ୍ ପ୍ରେସକ୍ରାଇବ୍ କରନ୍ତି ତେବେ କିଛି ସମୟରେ ସେହି ସବୁ ମେଡିସିନରେ ବିଜ୍ଞାପନ ଆସିବା ଆରମ୍ଭ ହୋଇଯାଏ ।

ଏସବୁ ପ୍ରଶ୍ନରେ ମେଟା ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଏବଂ ଅଖିଲ ସିବଲ କହିଛନ୍ତି ଯେ, ହ୍ୱାଟସଆପ ସଦାବେଳେ ମେସେଜର ଗୋପନୀୟତାକୁ ଗୁରୁତ୍ୱ ଦିଏ । ଚାଟ୍ କୁ କମ୍ପାନୀ ନିଜେ ମଧ୍ୟ ପଢିପାରିବ ନାହିଁ । ତେବେ ଏହି ଉତ୍ତରରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇନଥିଲେ ।