ସମ୍ବଲପୁର, କଟକ ଓ ଦେବଗଡରେ ବୋମା ଭୟ: ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

NEWS7
allegation-against-security-agency-in-bhadrak-district

ଭୁବନେଶ୍ୱର ୦୮/୦୧: ସମ୍ବଲପୁର, କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ଇ-ମେଲରେ ବୋମା ଧମକ ପରେ ଆଜି ସଂନ୍ଧ୍ୟାରେ ଏ ସମ୍ପର୍କରେ ବସୁଛି ଏକ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସମ୍ପୂର୍ଣ୍ଣ ସମୀକ୍ଷା କରାଯିବ । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଘଟଣାର ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୋମା ଧମକ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ସମ୍ପୃକ୍ତ ସ୍ଥାନ ମାନଙ୍କୁ ଅଧିକାରୀମାନଙ୍କୁ ପଠାଇ ଏସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।