ହାଇଦ୍ରାବାଦ ୧୪/୧୨: ରିଲ୍ ଲାଇଫରେ ଦାଦାଗିରି । ପୋଲିସକୁ ଦେଉଥିଲେ ଚକ୍ମା । ଆଇନକୁ ଭୁଆଁବୁଲାଇ କ୍ରାଇମ କରୁଥିଲେ । ଏମିତିକି ନେତା ମନ୍ତ୍ରୀ ଥିଲେ ପକେଟରେ । ହେଲେ ରିଅଲ ଲାଇଫ୍ରେ ଝୁକିଗଲେ ପୁଷ୍ପାରାଜ୍ । ଅର୍ଥ ବଳ, ଲୋକପ୍ରିୟତା ବି ପାରିଲାନି ବଞ୍ଚାଇ । ସତ ଚେଷ୍ଟା ପରେ ବି ଜେଲ ଗଲେ ସାଉଥ ସୁପରଷ୍ଟାର । ବେଲ୍ କାଗଜପତ୍ରରେ ବିଳମ୍ୱ ହେବାରୁ ଚାରିକାନ୍ଥରେ କଟିଲା ନିର୍ଜନ ରାତି । ପରିବାରକୁ ଛାଡି କଏଦୀ ହୋଇଗଲେ ଲୋକପ୍ରିୟ ତାରକା । ଦିନକ ପାଇଁ ହେଉ ପଛେ ଅପରାଧର କାଠଗଡାରେ ଛିଡାହେଲେ ଅଲ୍ଲୁ ଅର୍ଜୁନ୍ ।
ରାତାରାତି ଅଲ୍ଲୁ ପାଲଟିଲେ କଏଦୀ ନମ୍ୱର ୭୬୯୭ । ଶୁକ୍ରବାର ସନ୍ଧ୍ୟାରୁ ଅଲ୍ଲୁ ଅର୍ଜୁନ ତାଙ୍କ ମୁକ୍ତିକୁ ଅପେକ୍ଷା କରିଥିଲେ। ଜେଲ ମାନୁଆଲ ଅନୁଯାୟୀ ତାଙ୍କୁ ରାତ୍ରୀ ଭୋଜନ ଦିଆଯାଇଥିଲା। ସେ ଠିକ୍ ଖାଦ୍ୟ ମଧ୍ୟ ଖାଇ ନଥିଲେ। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିଥିଲେ। ତେବେ ଜେଲ ବାହାରେ ତାଙ୍କ ପ୍ରଶଂସକଙ୍କ ମାନେ ଭିଡ଼ ଜମାଇଥିଲେ। ତେବେ ହାଇଦ୍ରାବାଦ ପୋଲିସ ମହିଳାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ଚିକ୍କାଡପାଲି ପୋଲିସ୍ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଏବଂ ୧୧୮ (୧) ଅନୁଯାୟୀ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ କରିଥିଲା ମାମଲା । ହାଇଦ୍ରାବାଦ ପୋଲିସ ଅଲ୍ଲୁଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏହାପୂର୍ବରୁ ପୋଲିସ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଜେଲ୍ରୁ ବାହାରିବା ପରେ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଲ୍ଲୁ। ସେ କହିଛନ୍ତି, ମୁଁ ଭଲ ଅଛି। ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ। ସମସ୍ତ ପ୍ରକାର ସହଯୋଗ କରିବି। ଏହା ସହିତ ସେ ପୁଣି ଥରେ ସେହି ମୃତ ମହିଳାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ମୁଁ ପୁଣି ଥରେ ସେହି ପରିବାରକୁ ମୋର ସମବେଦନା ଜଣାଉଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଯାହା ଘଟିଲା, ସେଥିପାଇଁ ଆମେ ଦୁଃଖିତ। ସେପଟେ ଅଲ୍ଲୁ ଜେଲ୍ରେ ଫେରିବା ପରେ ତାଙ୍କୁ ଭେଟିବାକୁ ବାସଭବନରେ ପହଞ୍ଚିଛନ୍ତି ତାରକା ।
ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ହଲଚଲ୍। ପୁଷ୍ପା-ଟୁ ସ୍ପେଶାଲ ସୋ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଅଲ୍ଲୁଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ ତଳ କୋର୍ଟରୁ ମିଳିଥିଲା ଝଟକା। ତଳ କୋର୍ଟ ଅଲୁଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ ଏହାର କିଛି ସମୟ ଭିତରେ ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁଙ୍କୁ ଏ ମାମଲାରେ ଜାମିନ୍ ମିଳିଯିବା ପରେ ଆଶ୍ବସ୍ତ ହୋଇଥିଲେ ଅଲ୍ଲୁ ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ। ଆଉ କାଗଜପତ୍ର ବିଳମ୍ୱ ହେବାରୁ ଦିନକ ପାଇଁ ଜେଲରେ ରହିଥିଲେ ସାଉଥଷ୍ଟାର । ଶନିବାର ସକାଳୁ ମିଳିଥିଲା ମୁକ୍ତି ।