ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

Published By : Prameya-News7 Bureau | July 06, 2024 IST

ପୁରୀ ୦୬।୦୭ : ରାତିପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ରଥଖଳାକୁ ବିଜେ ହେଲା ଆଜ୍ଞାମାଳ ।ପଟିଦିଅଁଙ୍କ ଠାରୁ ଆସି ରଥଖଳାରେ ବିଜେ ହେଲା ଆଜ୍ଞାମାଳ । ତେବେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଆସିବ ତିନି ରଥ । ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ତିନି ରଥରେ ଠେକରା ବାଡ଼ ବୁଲିଛି । ତାଳଧ୍ୱଜ ରଥରେ ସବୁଜ ରଙ୍ଗର, ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି। ଗୁରୁବାର ପ୍ରଭା କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକାର । ଶନିବାର ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ ହେବ। ଧମକ ଉପରେ ଜଗତପୃଷ୍ଠଶେଣୀ ରଖାଯାଇ ତା’ଉପରେ ପଟା ପଡି ସିଂହାସନ ପରିଛା ପଡିଥିଲା। ଭୋଇ ସେବକମାନେ ପ୍ରଭା ରଖିବେ । ପରେ ପ୍ରଭା କଣ୍ଟା ପଡ଼ିବ। ଶେଷରେ ପଟା ପଡି ଚକା ରଖାଯିବ ।ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ବସିବେ। ସିଂହାସନରେ ଚକା ବସାଇବା ପରେ ରଥ ନିର୍ମାଣ ଶେଷ ହେବ ବୋଲି ନିର୍ମାଣକାରୀ କହିଛନ୍ତି । ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ହୋଇଛି । କନକମୁଣ୍ଡିରେ ପିତଳ ଚାଦର ବୁଲିଛି । ରଥରେ ପିତ୍ତଳର ଅଳଙ୍କାରମାନ ଲଗାଯାଉଛି। ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗୁଛି। ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯାଇ ପ୍ରସ୍ତୁତ ହୋଇଯିବ ରଥତ୍ରୟ । 

  • puri
  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.