ରାହୁଲ ଗାନ୍ଧି ଆମ ପାଇଁ ଶୁଭ! ସେ ଯେଉଁଆଡେ ଯାଆନ୍ତି ସେଠାରେ ବିଜେପି ସରକାର ହୁଏ: ଅନିଲ ଭିଜ୍

Published By : Prameya-News7 Bureau | September 26, 2024 IST

ଚଣ୍ଡିଗଡ଼୨୬।୧:  ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଭିଜ୍  କଂଗ୍ରେସ ନେତା ରାହୁଲ ଗାନ୍ଧି ଆମ ପାଇଁ ଶୁଭ ବୋଲି କହିଛନ୍ତି। ସେ ରାହୁଲଙ୍କ ହରିୟାଣା ଗସ୍ତକୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି। ଅନିଲ ଭିଜ କହିଛନ୍ତି ଯେ ରାହୁଲଙ୍କୁ ହରିୟାଣାରେ ସ୍ୱାଗତ, ସେ ଆମ ଲାଗି ଶୁଭ, ସେ ଯେଉଁଠାକୁ ଯାଆନ୍ତି ସେଠାରେ ବିଜେପିର ସରକାର ହୁଏ। ତେବେ ଅନିଲ ଭିଜ ରାହୁଲ ଗାନ୍ଧିଙ୍କୁ ଏକ ପ୍ରଶ୍ନ ମଧ୍ୟ କରିଛନ୍ତି। ସେ ପଚାରିଛନ୍ତି ବିଦେଶରେ ସଂରକ୍ଷଣକୁ ନେଇ ସେ ଯାହା କହିଛନ୍ତି ପ୍ରଥମେ ତାର ଜବାବ ଦିଅନ୍ତୁ। 

ଅନିଲ ଭିଜ କହିଛନ୍ତି ଯେ କଂଗ୍ରେସ ପାର୍ଟି ସବୁବେଳେ ଜନତାଙ୍କ ସହ ଧୋକା କରେ। କଂଗ୍ରେସ ମିଛର କାରଖାନା ଚଳାଇଛି। ଅମ୍ବାଲା କ୍ୟାଣ୍ଟରେ କଂଗ୍ରେସ ବିକାଶର ଗୋଟିଏ ଇଟା ବି ରଖିନି। ସମ୍ବିଧାନ ଓ ଦେଶକୁ ଯଦି ସବୁଠୁ ବଡ଼ ବିପଦ କଣ ତାହା ହେଉଛି ଗାନ୍ଧି ରାଜ ପରିବାର। ରାହୁଲ ଗାନ୍ଧିଙ୍କ ଜେଜେମା ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରି ଲୋକଙ୍କ ମୌଳିକ ଅଧିକାର ଛଡେଇ ନେଇଥିଲେ। 

ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ କହିଛନ୍ତି ଯେ ବିଜେପି କେବେବି କୌଣସି ରାଜ୍ୟରେ ନିର୍ବାଚିତ ସରକାରଙ୍କୁ ଧାରା ୩୫୬ ଲଗାଇ ହଟାଇ ନାହିଁ। ଇତିହାସ ଦେଖନ୍ତୁ କଂଗ୍ରେସ କେଉଁ ସବୁ ରାଜ୍ୟରେ ସରକାରଙ୍କୁ ଅସାମ୍ବିଧାନିକ ଉପାୟରେ କ୍ଷମତାଚ୍ୟୁତ କରିଛି। ଏବେ ସେମାନେ ଆମକୁ ଗଣତନ୍ତ୍ର ଓ ସମ୍ବିଧାନର ଅର୍ଥ ବୁଝାଉଛନ୍ତି। ଏମାନେ ବାରମ୍ବାର ସମ୍ବିଧାନକୁ ପଦଦଳିତ କରିଛନ୍ତି ବୋଲି ଅନିଲ ଭିଜ ଗଣମାଧ୍ୟମକୁ କହିଛନ୍ତି। 

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର କରନାଲର ଅସନ୍ଧରେ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ବିଜେପି ସରକାର ହରିୟାଣାକୁ ବରବାଦ କରିଦେଇଛି। ଏଠାରେ ବେକାରୀ ଓ ମୂଲ୍ୟ ବୃଦ୍ଧି ଲୋକଙ୍କୁ ହନ୍ତସନ୍ତ କରୁଛି। ଆମେରିକାରେ ମୋତେ ଭେଟିଥିବା ହରିୟାଣର ଯୁବକମାନେ କହିଛନ୍ତି ଆମ ଲାଗି ସେଠାରେ କିଛି ନାହିଁ। ରାହୁଲ କହିଛନ୍ତି ଯଦି କୌଣସି ଯୁବକ ଗରିବ ତେବେ ସେ ବ୍ୟାଙ୍କରୁ ଲୋନ ନେଇ କୌଣସି ବ୍ୟବସାୟ ବି କରିପାରିବନି। ଏହି ସରକାର ଯୁବକଙ୍କ ଲାଗି ରାଜ୍ୟର ସବୁ ଦ୍ୱାର ବନ୍ଦ କରିଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.