କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆଶଙ୍କା, ପୁଣି ବର୍ଷିବ ତାମିଲନାଡୁରେ

Published By : Prameya-News7 Bureau | December 06, 2024 IST

ଚେନ୍ନାଇ ୬।୧୨: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗରରେ ଡିସେମ୍ବର ୭ ତାରିଖ ସୁଦ୍ଧା  ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା କରିଛନ୍ତି। ଆରବ ସାଗର ଓ ବଙ୍ଗୋପସାଗର ଉପରେ ଥିବା ସାଇକ୍ଲୋନିକ ସର୍କୁଲେସନ ଯୋଗୁ ଏଭଳି ଆଶଙ୍କା କରାଯାଉଛି। ଆଶଙ୍କା କରାଯାଉଛି ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୧୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳକୁ ପହଞ୍ଚିବ। 

ଏହି ଲଘୁଚାପ କାରଣରୁ ଡିସେମ୍ବର ୧୧ ତାରିଖରୁ ତାମିଲନାଡୁର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଇଏମଡି ଆକଳନ କରିଛନ୍ତି। ଏଥିରେ ମଇଲାଦୁଥୁରାଇ, ନାଗପଟ୍ଟିନମ, ତାଞ୍ଜାଉର, ତିରୁଭରୁର ଓ ରାମନାଥ ପୁରମ ସହିତ ଆଖାପାଖ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। ଡିସେମ୍ବର ୧୨ ତାରିଖ ସୁଦ୍ଧା ବର୍ଷା ଚେଙ୍ଗଲପଟ୍ଟୁ, ଭିଲ୍ଲୁପୁରମ, କୁଡ୍ଡାଲୋର ଓ ପୁଡୁଚେରୀରେ ଆରମ୍ଭ ହୋଇପାରେ। ଶୁକ୍ରବାର ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। 

ଏହା ପୂର୍ବରୁ ଘୂର୍ଣ୍ଣିବାତ୍ୟା ଫେଙ୍ଗଲ ତାମିଲନାଡୁର ଅନେକ ଅଞ୍ଚଳରେ ଭୀଷଣ ବର୍ଷା କରିଛି। ଏକ ରିପୋର୍ଟ ଅନୁସାରେ ତାମିଲନାଡୁରେ ଘୂର୍ଣ୍ଣିବାତ୍ୟା ଫେଙ୍ଗଲ ଯୋଗୁ ବିଭିନ୍ନ ସ୍ଥାନରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘୂର୍ଣ୍ଣିବାତ୍ୟାରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ପାଣି ଭରିଯିବାରୁ ସ୍କୁଲ, କଲେଜ କିଛିଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା ଓ ଲୋକଙ୍କ ଆବାଗମନରେ ବ୍ୟବଧାନ ସୃଷ୍ଟି କରିଥିଲା। ତେବେ ନୂଆ ଲଘୁଚାପ କ୍ଷେତ୍ର ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୧୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର  ଶ୍ରୀଲଙ୍କା-ତାମିଲନାଡୁ ଉପକୂଳକୁ ପହଞ୍ଚିବ ବୋଲି ଆଇଏମଡି ଆକଳନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.