ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ବଢ଼ିଲା ମୁସ୍କିଲ୍ । ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଦାଲତି ଝଟକା ଲାଗିଛି । ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଆପ୍ ସୁପ୍ରିମୋ । ମଦ ଦୁର୍ନୀତି ମାମଲାରେ ମନିଷ୍ ସିସୋଦିଆ ଏବଂ ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ମଧ୍ୟ ଆଶ୍ବସ୍ତି ମିଳିନାହିଁ । ନ୍ୟାୟିକ୍ ହେପାଜତକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି କୋର୍ଟ ।
ସୂଚନା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହାଜତ ଅବଧି ଶେଷ ହେଉଥିଲା । ଏନେଇ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ଥିଲା । ସିବିଆଇ ଦ୍ବାରା ଗିରଫ ହୋଇଥିବା କେଜ୍ରିଓ୍ବାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ତେବେ କୋର୍ଟ ଶୁଣାଣି କରି ହାଜତ ଅବଧିକୁ ଅଗଷ୍ଟ ୮କୁ ବୃଦ୍ଧି କରିଛନ୍ତି । ସିବିଆଇ ଦ୍ବାରା ଅରବିନ୍ଦ କେଜ୍ରିଓ୍ବାଲ ଜୁନ୍ 26 ତାରିଖରେ ଗିରଫ ହୋଇଥିଲେ ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସିବିଆଇ କୋର୍ଟରେ ଅଭିଯୋଗ କରିଛି । ୨୦୨୧ ଜୁନରୁ ୨୦୨୨ ଜାନୁଆରୀ ମଧ୍ୟରେ ଗୋଆ ବିଧାନସଭା ନିର୍ବାଚନ ପାଇଁ ବେଆଇନ ଭାବେ ୪୪.୪୫ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା ଏବଂ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ହୋଇଥିଲା । ଆପ୍ ପାର୍ଟିକୁ ମିଳିଥିବା ଶହେ କୋଟିରୁ ଲାଞ୍ଚରେ ୪୪.୪୫ କୋଟି ଟଙ୍କା ରହିଛି ।..