ଆନନ୍ଦପୁର ୧୩।୮: ଆଶ୍ରମ ସ୍କୁଲରେ ପଢୁଥିବା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ଯୁକୁ ନେଇ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା । ଉତ୍ତ୍ୟକ୍ତ ଗ୍ରାମବାସୀ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଗିରଫ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କଲେ ଗ୍ରାମବାସୀ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାରବିଲ ଗାଁର ନନ୍ଦିଆ ହୋଙ୍କ ଝିଅ ନିଜ ମାମୁ ଘର ଗାଁ ନୁଆମାଳିଆ ଆଶ୍ରମ ସ୍କୁଲରେ ପଢୁଥିଲା । ମାମୁ ନବଘନ ମୁଣ୍ଡା ତାଙ୍କର ଲୋକାଲ ଗାର୍ଡିଆନ ଥିଲେ । ଗତ ୧୦ ତାରିଖରେ ଛାତ୍ରୀ ଜଣଙ୍କ ଅସୁସ୍ଥ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ତାଙ୍କୁ ନିକଟସ୍ଥ ଦାନଗଦି ମେଡିକାଲ ଓ ପରେ କଟକ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ସେହିଦିନ ସେଠାରୁ ପୁଣି ଥରେ ସ୍କୁଲକୁ ନେଇ ଆସିଥିଲେ ସ୍କୁଲ କର୍ତ୍ତୃପକ୍ଷ । ତେବେ ପରଦିନ ପରିବାର ଲୋକଙ୍କୁ ଖବର ଦେବାରୁ ପରିବାର ଲୋକେ ଆସି ଝିଅକୁ ଦେଖା କରିବା ସହ ସାଙ୍ଗରେ ନେଇ ଯାଇଥିଲେ । ପରଦିନ ଛାତ୍ରୀ ପୁଣି ଥରେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପରାବାର ଲୋକେ ଠାକୁରମୁଣ୍ଡା ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀଙ୍କ ମୃତ୍ଯୁ ପାଇଁ ଗ୍ରାମବାସୀ ଓ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।
ଛାତ୍ରୀ ଜଣଙ୍କ କିଛି ଦିନ ତଳେ ସ୍କୁଲରେ ଦିଆଯାଉଥିବା ନିମ୍ନମାନର ଖାଦ୍ଯ ସମ୍ପର୍କରେ ଏକ ଭିଡିଓ କରି ଭାଇରାଲ କରିଥିଲେ । ଅନ୍ଯପଟେ ୧୦ ତାରିଖରେ ଛାତ୍ରୀଙ୍କ ଦେହ ଖରାପ ସମ୍ପର୍କରେ କାହାକୁ ନଜଣାଇ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଦାନଗଦି ଓ କଟକ ମେଡିକାଲ ନେଇଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି । କେବେ ଏ ସମ୍ପର୍କରେ ପ୍ରଧାନଶିକ୍ଷକ ସବୁ କାମ ନିୟମରେ ହୋଇଥିବା କହିଛନ୍ତି । ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଖବର ପାଇ ଦାୟିତ୍ବରେ ଥିବା WEO ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
You Can Read: