ସହି ହେଲାନି ପତ୍ନୀଙ୍କ ବିୟୋଗ, ନିଜକୁ ଗୁଳି କରି ଜୀବନ ହାରିଲେ ଆଇପିଏସ୍ ଅଫିସର

Published By : Prameya-News7 Bureau | June 18, 2024 IST

ଗୌହାଟୀ ୧୮।୬:ଆସାମ ହୋମ ସେକ୍ରେଟାରୀ ଶିଳାଦିତ୍ୟ ଚେତିୟା ମଙ୍ଗଳବାର ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଗୌହାଟୀର ଏକ ଘରୋଇ ହସ୍ପିଟାଲରେ ଆତ୍ମହତ୍ୟା କରିଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ୨୦୦୯ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଚେତିୟା ଗତ ୪ ମାସ ହେଲା ଛୁଟିରେ ଥିଲେ। ପୋଲିସ ସୂଚନା ଅନୁସାରେ ଚେତିୟାଙ୍କ ପତ୍ନୀ କର୍କଟ ରୋଗରେ ପୀଡ଼ିତ ଥିଲେ ଓ ଏଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। 

ପତ୍ନୀଙ୍କ ମୃତ୍ୟୁରେ ଦୁଃଖି ବରିଷ୍ଠ ଆଇପିଏସ୍ ଅଫିସର ହସ୍ପିଟାଲରେ ନିଜ ସର୍ଭିସ ପିସ୍ତଲରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଚେତିୟାଙ୍କ ପତ୍ନୀ କାର୍ସିନୋମାର ଚତୁର୍ଥ ପର୍ଯ୍ୟାୟରେ ଥିଲେ ଓ ଗତ କିଛି ଦିନ ହେଲା ସହରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଜନୈକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ପତ୍ନୀଙ୍କ ସ୍ୱାସ୍ଥ୍ୟରେ ଅବନତୀ ଯୋଗୁ ଗତ କିଛି ଦିନ ହେଲା ଚେତିୟା ମାନସିକ ରୂପେ ଅସ୍ଥିର ଥିଲେ। 

ଚେତିୟା ଅସୁସ୍ଥ ପତ୍ନୀଙ୍କ ଦେଖାଶୁଣା କରିବା ପାଇଁ ହସ୍ପିଟାଲରେ ରହୁଥିଲେ। ଦୁର୍ଭାଗ୍ୟକୁ ତାଙ୍କ ପତ୍ନୀଙ୍କ ମଙ୍ଗଳବାର ପରଲୋକ ହୋଇଥିବା ବେଳେ ଚେତିୟା ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି। ଚେତିୟାଙ୍କ ଏପରି ଆତ୍ମହତ୍ୟାରେ ଅନ୍ୟ ପୋଲିସ ଅଧିକାରୀ ଶୋକ ପ୍ରକାଶ କରିଛନ୍ତି। ଏହା ଏକ ଦୁଃଖଦ ଅନ୍ତ ବୋଲି ଅନେକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.