ଆପ ନେତା କେଜରିୱାଲଙ୍କୁ ଘରେ ଭେଟିଲେ ଆତିଶୀ, ଏବେ ପାର୍ଟିରେ ପଡିପାରେ ଫାଟ

Published By : Prameya-News7 Bureau | February 08, 2025 IST

ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇଛି। ଦିଲ୍ଲୀ ଶାସନରେ ଏକଛତ୍ର ରାଜ କରୁଥିବା ଆମ ଆଦମୀ ପାର୍ଟି (ଆପ) ନିର୍ବାଚନରେ ପରାଜିତ ହୋଇଛି। ଆପର ପାଖାପାଖି ସବୁ ବଡ଼ ନେତା ହାରି ଯାଇଛନ୍ତି। ପାର୍ଟି ସଂଯୋଜକ ତଥା ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢିଥିବା ଅରବିନ୍ଦ କେଜରିୱାଲ ବିଜେପିର ପ୍ରବେଶ ବର୍ମାଙ୍କ ଦ୍ୱାରା ପରାସ୍ତ ହୋଇଛନ୍ତି। ସେହିପରି ଦଳର ୨ନମ୍ବର ନେତା ମନିଷ ସିସୋଦିଆଙ୍କୁ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହା ଛଡା ସୌରଭ ଭରଦ୍ୱାଜ, ସତ୍ୟେନ୍ଦ୍ର ଜୈନ ଓ ସୋମନାଥ ଭାରତୀ ମଧ୍ୟ ପରାସ୍ତ ହୋଇଛନ୍ତି। 

ଆପର ବଡ଼ ନେତାଙ୍କ ମଧ୍ୟରେ କେବଳ ମୁଖ୍ୟମନ୍ତ୍ରୀ ଆତିଶୀ ବିଜୟୀ ହୋଇଛନ୍ତି। ସେ ବିଜେପିର ରମେଶ ବିଧୁଡୀଙ୍କୁ ହରାଇଛନ୍ତି। ନିର୍ବାଚନ ଫଳାଫଳ ମଧ୍ୟରେ ଆତିଶୀ ଶନିବାର ଆପ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। କୁହାଯାଉଛି ଉଭୟ ନେତାଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ତେବେ ରାଜନୈତିକ ଅଳିନ୍ଦରେ ଏବେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। କେତେକ ରାଜନୈତିକ ବିଶ୍ଲେଷକ ଏବେ ଆପରେ ବଡ଼ ଧରଣର ବିଭାଜନ ଆଶଙ୍କା କରିଛନ୍ତି।  

ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଏବେ ଆପର ଅନେକ ବଡ଼ ନେତା ପାର୍ଟି ଛାଡି ପାରନ୍ତି। ଏହି ନେତାଙ୍କ ମଧ୍ୟରେ ଅନେକ ବଡ଼ ନାମ ମଧ୍ୟ ଆସିପାରେ। କେବଳ ଦିଲ୍ଲୀ ଆପ ନୁହେଁ ବିଭିନ୍ନ ରାଜ୍ୟ ଆପରେ ମଧ୍ୟ ବିଭାଜନ ଦେଖାଯାଇ ପାରେ। ପାର୍ଟିର ବଡ଼ବଡ଼ ନେତା କେଜରିୱାଲଙ୍କ ସାଙ୍ଗ ଛାଡି ପାରନ୍ତି। ଆଗାମୀ ବର୍ଷମାନଙ୍କରେ ଯେବେ ପଞ୍ଜାବ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ ପାର୍ଟିର ପ୍ରଦର୍ଶନ ଉପରେ ଦିଲ୍ଲୀ ନିର୍ବାଚନର ପ୍ରଭାବ ମଧ୍ୟ ଦେଖାଯାଇ ପାରେ ବୋଲି ଆକଳନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.