ଏରିକା କିର୍କଙ୍କୁ ଆଲିଙ୍ଗନ, ପତ୍ନୀ ଉଷା ପିନ୍ଧୁ ନଥିଲେ ବିବାହ ମୁଦି; ଚର୍ଚ୍ଚା ପରେ ମୁହଁ ଖୋଲିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

NEWS7
attack-on-former-mla-pranab-balabantaray-vehicle

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଭାନ୍ସଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଥିବା ନେଇ ଚର୍ଚ୍ଚା ଲାଗି ରହିଛି । ଗତ ନଭେମ୍ବରରେ ଜେଡି ଭାନ୍ସ ମିସିସିପିର ଏକ କାର୍ଯ୍ୟକ୍ରମରେ ଦିବଂଗତ ସାମଜିକ କର୍ମୀ ଚାର୍ଲି କିର୍କଙ୍କ ପତ୍ନୀ ଏରିକାଙ୍କୁ ଆଲିଙ୍ଗନ କରିଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏରିକା ଏବଂ ଭାନ୍ସଙ୍କ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା । ସେପଟେ ଏହାରି ମଧ୍ୟରେ ଜେଡି ଭାନ୍ସଙ୍କ ପତ୍ନୀ ଉଷା ନିଜ ବିବାହ ମୁଦି ବାହାର କରିଦେଇଥିଲେ । ସାର୍ବଜନୀନ ସ୍ଥାନରେ ଉଷାଙ୍କୁ ବିନା ବିବାହ ମୁଦିରେ ଦେଖିବାକୁ ମିଳିଥିଲା । ଏହା ପରଠାରୁ ଆମେରିକାର ଉପରାଷ୍ଟ୍ରପତି ଏବଂ ସେକେଣ୍ଡ ଲେଡିଙ୍କ ମଧ୍ୟରେ କିଛି ଭଲ ଚାଲିନଥିବା ନେଇ ଚର୍ଚ୍ଚା ହୋଇଆସିଛି । ଏବେ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି ଜେଡି ଭାନ୍ସ ।

ଜେଡି ଭାନ୍ସ ଶୁକ୍ରବାର (ଡିସେମ୍ବର ୫)ରେ ଏନବିସି ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମ ବିବାହ ପୂର୍ବ ଅପେକ୍ଷା ଆହୁରି ମଜଭୁତ । ଏସବୁ ଗୁଜବକୁ ନେଇ ଚିନ୍ତିତ କି ବୋଲି ପ୍ରଶ୍ନରେ, ଜେଡି ଭାନ୍ସ ମଜାଳିଆ ଜବାବ ଦେଇଛନ୍ତି । ସେ କହିଛନ୍ତି, ମୁଁ ଭାବୁଛି ଏଭଳି ଗୁଜବ ମଜା ଦିଏ । ଉପରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, କିଛି ଭଲ ହେଲେ, କିଛି ଖରାପ ବି ହୁଏ । କିଛି ଭଲ ପାଇବାକୁ ହେଲେ ବହୁତ କିଛି ତ୍ୟାଗ କରିବାକୁ ପଡ଼େ । କିନ୍ତୁ ଆମର ସଂପର୍କ ପୂର୍ବ ଅପେକ୍ଷା ଆହୁରି ମଜଭୁତ । ମୋତେ ଲାଗୁଛି ଏହି ସତ୍ୟକୁ ଉଷା ଗ୍ରହଣ କରିନେଇଛନ୍ତି । ନୂଆ ଅବତାରରେ ଉଷା କିଭଳି ନିଜକୁ ପରିବର୍ତ୍ତନ କରିଛନ୍ତି ଦେଖିଲେ ଖୁସି ଲାଗୁଛି ।

ଜେଡି ଭାନ୍ସଙ୍କ ଅନୁସାରେ, ଉଷା ବିବାହ ମୁଦି ଗାଏବ ଖବରକୁ ନେଇ ଚିନ୍ତିତ ଥିଲେ । ଯଦି ସେ ମୁଦି ନପିନ୍ଧନ୍ତି, ତେବେ କିଛି ପାଗଳ ଏହାକୁ ନେଇ ସୋସିଆଲ ମିଡିଆରେଚର୍ଚ୍ଚା କରିବେ ବୋଲି ଉଷା କହିଥିଲେ । ଜେଡି ଭାନ୍ସ ତାଙ୍କୁ କହିଥିଲେ, ସେମାନଙ୍କୁ ସେଭଳି କରିବାକୁ ଦିଅ । ସୋସିଆଲ ମିଡିଆରେ ଏଭଳି ଗୁଜବ ପ୍ରଚାର ହେଲେ, ସତରେ ମଜା ଲାଗେ ଏବଂ ଆମେ ଏହାକୁ ନେଇ ମଧ୍ୟ ଖୁସି ଥିଲୁ ବୋଲି ଜେଡି ଭାନ୍ସ କହିଛନ୍ତି ।

ଉତ୍ତର କାରୋଲିନାର ସୈନ୍ୟ ବେସ୍ରେ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ସହ ନଜର ଆସିଥିଲେ ଉଷା । ସେହି ସମୟରେ ତାଙ୍କ ଆଙ୍ଗୁଳିରେ ବିବାହ ମୁଦି ନଥିଲା। ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଏହା ପରେ ସେକେଣ୍ଡ ଲେଡିଙ୍କ ଜଣେ ପ୍ରତିନିଧି ମିଡିଆକୁ ପ୍ରତିକ୍ରିୟା ଦେଇ କହିଥିଲେ, ଉଷା ଭାନ୍ସ ୩ ପିଲାର ମା’ । ତାଙ୍କୁ ରୋଷେଇ କରିବାକୁ ପଡ଼େ, ପିଲାଙ୍କୁ ଗାଧୋଇବାକୁ ହୁଏ । ବେଳେ ବେଳେ ସେ ମୁଦି ପିନ୍ଧିବାକୁ ଭୁଲି ଯାଆନ୍ତି । ସେ ଯାହା ହେଉ, ଜେଡି ଭାନ୍ସ ଏବଂ ଏରିକା କିର୍କଙ୍କ ଆଲିଙ୍ଗନର ଭିଡିଓ ଭାଇରାଲ ହେବା ପରେ ଉଷାଙ୍କ ହାତରୁ ବିବାହ ମୁଦି ଗାଏବ ହେବା ଘଟଣା, ଚର୍ଚ୍ଚା ବଢ଼ାଇଥିଲା । ଏବେ ଜେଡି ଭାନ୍ସ ଏହାକୁ ନେଇ ଖୋଲାଖୋଲି କହିବା ପରେ, ହୁଏତ ଚର୍ଚ୍ଚା ଥମିପାରେ । ଏହା ପୂର୍ବରୁ ‘ଭାଇରାଲ୍ ହଗ୍’କୁ ନେଇ ଏରିକା କିର୍କ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ । ସେ ନିଜର ସ୍ବାମୀ ଚାର୍ଲିଙ୍କୁ ଖୁବ ଭଲ ପାଉଥିଲେ ଏବଂ ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ ବୋଲି କହିଥିଲେ ।