ପୁରୀ ୧୨।୧୨ : ଗୁରୁବାର ବନକଲାଗି ନୀତି । ବଡ଼ଦେଉଳରେ ବଡ଼ଠାକୁରଙ୍କ ହେବ ଶ୍ରୀମୁଖ ସୁଙ୍ଗାର । ଏଥିଲାଗି ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ଗୁରୁବାର ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦୀର୍ଘ ସମୟ ଧରି ଚାଲିବା ମହାପ୍ରଭୁଙ୍କ ବନକଲାଗି ନୀତି । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, ଓ କଳା ଇତ୍ୟାଦି ବ୍ୟବହାର କରାଯିବ। ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକମାନେ ଏହି ନୀତି ସମ୍ପାଦନ କରିବେ।