ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ମୋଦୀ ସରକାର ଚଳାଇବା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ବିରୋଧୀ ଦଳ ଓ ନେତାଙ୍କୁ ଟାର୍ଗେଟ୍ କରିବା ଜାରି ରଖିଲେ ତେବେ ସେ ଦିନ ଆଉ ଦୂର ନୁହେଁ ଯେତେବେଳେ ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ଏକାକୀ ହୋଇଯିବେ। ବଜେଟ୍ ୨୦୨୪ ଉପସ୍ଥାପନ ହେବା ପରଠୁ ବିରୋଧୀ ଦଳ ନେତାମାନେ ବିଜେପି ସରକାରକୁ ଲଗାତାର ସମାଲୋଚନା କରି ଚାଲିଛନ୍ତି। ମଙ୍ଗଳବାର କଂଗ୍ରେସ ମଧ୍ୟ କହିଛି ଯେ, ଯେଉଁ ରାଜ୍ୟଗୁଡ଼ିକରେ ବିଜେପି କିମ୍ବା ଏହାର ସହଯୋଗୀ ମେଣ୍ଟ ସରକାରରେ ନାହାନ୍ତି ସେହି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି। ଏହି କାରଣରୁ କଂଗ୍ରେସ ନୀତି ଆୟୋଗ ବୈଠକର ବହିଷ୍କାର କରିଛି। କଂଗ୍ରେସ ସହିତ ଏମକେ ଷ୍ଟାଲିନ ମଧ୍ୟ ଏହି ଘୋଷଣା କରି ସାରିଛନ୍ତି।
ଦ୍ରାବିଡ଼ ମୁନେତ୍ର କଡ଼ଗମ ପାର୍ଟିର ସଭାପତି ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ନରେନ୍ଦ୍ର ମୋଦୀ ସରକାର ତାଙ୍କ ରାଜ୍ୟକୁ ଉପେକ୍ଷା କରିଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିଜେପିର ୪୦୦ ପାର ସ୍ଵପ୍ନ ଧୂଳିସାତ କରି ଦେବାରୁ ଏଥିପାଇଁ ଏହି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଅଣଦେଖାର ସାମ୍ନା କରିବାକୁ ପଡ଼ୁଛି। ନିର୍ବାଚନ ସଂପନ୍ନ ହୋଇ ସାରିଛି ଏବେ ଆମକୁ ଦେଶ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ବଜେଟ୍ ୨୦୨୪ ଆପଣଙ୍କ ଗାଦିକୁ ବଞ୍ଚାଇ ଦେବ ମାତ୍ର ଦେଶ ବଞ୍ଚାଇ ପାରିବ ନାହିଁ। ନିରପେକ୍ଷ ହୋଇ ସରକାର ଚଲାନ୍ତୁ, ନଚେତ୍ ଏକାକୀ ରହିଯିବେ।
ମୋଦୀ ସରକାର ୩.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଛି। ବଜେଟ୍କୁ ନେଇ ବିରୋଧୀ ଦଳ କଡ଼ା ଟିପ୍ପଣୀ କରିଛନ୍ତି। ତାମିଲନାଡ଼ୁ ସରକାର କହିଛନ୍ତି, ଚେନ୍ନାଇର ମେଟ୍ରୋ ରେଳର ଦ୍ଵିତୀୟ ପର୍ଯ୍ୟାୟ ଏବଂ କୋଏମ୍ବାଟୁରରେ ଏହିପରି ବିକାଶମୂଳକ ପ୍ରକଳ୍ପ ପାଇଁ ବଜେଟ୍ରେ କୌଣସି ବ୍ୟୟବରାଦ କରାଯାଇ ନାହିଁ। ଡିଏମକେ କହିଛି ଚେନ୍ନାଇ ଓ ଦକ୍ଷିଣ ଜିଲ୍ଲାଗୁଡ଼ିକର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁନଃଥଇଥାନ ପାଇଁ କୌଣସି ପ୍ରାବଧାନ କଲେ ନାହିଁ। ରାଜ୍ୟ ୩୭ ହଜାର କୋଟି ଟଙ୍କା ମାଗିଥିଲା କିନ୍ତୁ ଏ ପର୍ଯ୍ୟନ୍ତ ମାତ୍ର ୨୭୬ କୋଟି ଟଙ୍କା ମିଳିଛି।
ଶନିବାର ହେବାକୁ ଥିବା ନୀତି ଆୟୋଗର ବୈଠକକୁ ଚାରି ବିରୋଧୀ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିରେ ଷ୍ଟାଲିନଙ୍କ ବ୍ୟତୀତ ତିନି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକର ସିଦ୍ଧରମୈୟା, ତେଲେଙ୍ଗାନାର ରେବନ୍ତ ରେଡ୍ଡୀ ଓ ହିମାଚଳ ପ୍ରଦେଶର ସୁଖବିନ୍ଦର ସୁଖୁ ସାମିଲ।