୧୯୨୦ ମସିହା ପୂର୍ବରୁ ଦେଶରେ ‘ହିନ୍ଦୁ’ ବୋଲି ଶବ୍ଦ ନଥିଲା, ଚର୍ଚ୍ଚାରେ କ୍ରାନ୍ତି କୁମାରଙ୍କ ପୋଷ୍ଟ

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ ୨୭।୯: ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟ୍ୱିଟର)ରେ କ୍ରାନ୍ତି କୁମାର ନାମକ ଜନୈକ ୟୁଜରଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟ ଦେଶରେ ଜାତି, ଧର୍ମ ଓ ସମାଜର ଇତିହାସକୁ ନେଇ ଚର୍ଚ୍ଚାର ଏକ ନୂଆ ଅଧ୍ୟାୟ ଖୋଲି ଦେଇଛି। କ୍ରାନ୍ତି କୁମାର ତାଙ୍କ ପୋଷ୍ଟରେ ୧୯୨୦ ମସିହା ପୂର୍ବରୁ ଦେଶରେ ‘ହିନ୍ଦୁ’ ବୋଲି କୌଣସି ଶବ୍ଦ ନଥିଲା, କି ହିନ୍ଦୁ ଶବ୍ଦର ପ୍ରଚଳନ ନଥିଲା ବୋଲି ଉଲ୍ଲେଖ କରିଛନ୍ତି।  ସେ ଲେଖିଛନ୍ତି ଯେ ସେତେବେଳେ ସବୁ ଲୋକଙ୍କ ପରିଚୟ ସେମାନଙ୍କ ଜାତିରୁ ହେଉଥିଲା। 

କ୍ରାନ୍ତି କୁମାର ଦାବି କରିଛନ୍ତି ଯେ ପୂର୍ବରୁ ଲୋକେ ସେମାନଙ୍କ ପରିଚୟ ସେମାନଙ୍କ ଧର୍ମକୁ ନେଇ ନୁହେଁ ଜାତିକୁ ନେଇ ଦେଉଥିଲେ।  ସେତେବେଳେ ନୁହେଁ ଆଜିବି ଯଦି ଆପଣ କୌଣସି ଗ୍ରାମାଞ୍ଚଳକୁ ଯିବେ ସେଠାରେ ଲୋକେ ଜଣେ ଜଣକୁ ଜାତି ସହ ଯୋଡିକରି ଚିହ୍ନଟ କରୁଥିବା ଦେଖିବାକୁ ପାଇବେ। ଏହି କଥା ଦେଶରେ ଗ୍ରାମୀଣ ସମାଜର ସଂରଚନା ଓ ଜାତି ପ୍ରଥାର ଗଭୀରତାକୁ ଦର୍ଶାଉଛି, ଯାହା ଏବେବି କାୟମ ରହିଛି।

କ୍ରାନ୍ତି କୁମାର ତାଙ୍କ ପୋଷ୍ଟରେ ମୋଗଲ ଓ ବ୍ରିଟିଶ କାଳର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ସେବେର ଜାତିପ୍ରଥାରୁ ବର୍ତ୍ତିବା ପାଇଁ ଅନେକ ଲୋକ ମୁସଲମାନ ଓ ଖ୍ରୀଷ୍ଟିଆନ ହୋଇଯାଇଥିଲେ। ଏହା ଛଡା ଶୁଦ୍ର ଓ ଅଛୁଆଁ ଲୋକେ ଶିଖ ଧର୍ମ ଆପଣାଇଥିଲେ। ସେ ଲେଖିଛନ୍ତି ସେ ସମୟରେ ଧର୍ମାନ୍ତରଣ ଯୋଗୁ ସବର୍ଣ୍ଣ ସମାଜର କୌଣସି କ୍ଷତି ହେଉ ନଥିଲା। ତେବେ ୧୯୨୦ ମସିହା ପରେ ପରିସ୍ଥିତି ବଦଳିବାରେ ଲାଗିଲା। ଯେତେବେଳେ ସାମ୍ରାଜ୍ୟ ଭୁଶୁଡିବାକୁ ଲାଗିଲା  ସେତେବେଳେ ରାଷ୍ଟ୍ରର ପରିକଳ୍ପନା ଆରମ୍ଭ ହୋଇଥିଲା। 


କ୍ରାନ୍ତି କୁମାରଙ୍କ ଅନୁସାରେ ୧୯୨୦ ମସିହା ପରେ ଯେତେବେଳେ ରାଜନୀତିରେ ପ୍ରତିନିଧିତ୍ୱର ପ୍ରସଙ୍ଗ ଉଠିଲା ସେତେବେଳେ ପ୍ରଶ୍ନ ହେଲା ବିଭିନ୍ନ ଧର୍ମ ଓ ଜାତିର ପ୍ରତିନିଧିତ୍ୱ କିଏ କରିବେ। ଜାତି ବର୍ଣ୍ଣର ପ୍ରତିନିଧି କିଏ ହେବ? କିଏ ଧାର୍ମିକ ବର୍ଗର ପ୍ରତିନିଧିତ୍ୱ କରିବ? ରାଜନୀତିର ଏହି କାଳରେ ଅସ୍ପୃଶ୍ୟ ସମାଜର ପ୍ରତିନିଧିତ୍ୱ କିଏ କରିବେ ପ୍ରଶ୍ନ ଉଠିଥିଲା। କ୍ରାନ୍ତି କୁମାର ତାଙ୍କ ପୋଷ୍ଟରେ ଅସ୍ପୃଶ୍ୟ (ଅଛୁଆଁ)ଙ୍କ ସ୍ଥିତି ଉପରେ ବି ବିସ୍ତାର ପୂର୍ବକ ଲେଖିଛନ୍ତି। 


ସେ ଲେଖିଛନ୍ତି ଅସ୍ପୃଶ୍ୟ ସମାଜକୁ ବ୍ରିଟିଶ ଶାସନ କାଳରେ ‘ଆଉଟ୍ କାଷ୍ଟ’ ମନେ କରାଯାଉଥିଲା। ଏମାନେ ଆଦିବାସୀଙ୍କ ଭଳି ହିନ୍ଦୁ ଧର୍ମର ଅଂଶବିଶେଷ ନଥିଲେ। ସମାଜ ସଂସ୍କାରକଙ୍କ ଡର ଥିଲା ଯଜି ବ୍ରିଟିଶ ଶାସନ ଅସ୍ପୃଶ୍ୟଙ୍କୁ ଅଲଗା ସମୂଦାୟ ମାନିନେବେ ତେବେ ସବର୍ଣ୍ଣମାନେ ଅଳ୍ପସଂଖ୍ୟକ ହୋଇଯିବେ ଓ ମୁସଲମାନ ବହୁ ସଂଖ୍ୟକ ହୋଇ ଶାସନ ହାତେଇ ନେବେ। ଏଣୁ ଏକ ଷଡ଼ଯନ୍ତ୍ରରେ ସମାଜ ସଂସ୍କାରକମାନେ ଅସ୍ପୃଶ୍ୟଙ୍କୁ ହିନ୍ଦୁ କରିବା ଆରମ୍ଭ କରିଦେଲେ ଓ ଛୁଆଁଛୁତି ହଟାଇବାର ବାହାନା କଲେ। 

କ୍ରାନ୍ତି କୁମାର ଲେଖିଛନ୍ତି ଅସ୍ପୃଶ୍ୟଙ୍କୁ ହିନ୍ଦୁ ଧର୍ମରେ ସାମିଲ କରି ସମାଜ ସଂସ୍କାରକମାନେ ରାଜନୀତିରେ ନିଜ ପକ୍ଷ ମଜଭୁତ କଲେ। ଯଦିଓ ଅସ୍ପୃଶ୍ୟଙ୍କୁ ହିନ୍ଦୁ ଧର୍ମରେ ସ୍ଥାନ ମିଳିଥିଲା ତଥାପି ସେମାନଙ୍କ ପ୍ରତି ଦ୍ୱିତୀୟ ଶ୍ରେଣୀ ନାଗରିକଙ୍କ ପରି ବ୍ୟବହାର କରାଯାଉଥିଲା। କ୍ରାନ୍ତି କୁମାରଙ୍କ ଏହି ପୋଷ୍ଟ ପରେ ଦେଶରେ ଜାତି ଓ ଧର୍ମ ପ୍ରସଙ୍ଗରେ ଏକ ନୂଆ ତର୍କ ଆରମ୍ଭ ହୋଇଯାଇଛି। ଅନେକ ଲୋକ କ୍ରାନ୍ତି କୁମାରଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ଲୋକ ଏହା ଐତିହାସିକ ତଥ୍ୟରୁ ଊର୍ଦ୍ଧ୍ୱରେ ବୋଲି କହିଛନ୍ତି। ଏହି ପୋଷ୍ଟ ଐତିହାସିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ସଠିକ ହେଉ କି ନ ହେଉ ହେଲେ ଏହା ସ୍ପଷ୍ଟ ହୋଇଛି ଯେ ଜାତି ଓ ଧର୍ମର ତର୍କ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ ଯେତିକି ୧୯୨୦ ମସିହା ପରେ ଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.